ରାଜଧାନୀରେ ମହିଳାଙ୍କ ବେକ କାଟିଥିବା ଯୁବକ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା, ଲକଡାଉନ୍ ପରଠୁ ବେକାର ଥିଲା

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ନୟାପଲ୍ଲୀ ଥାନା ଅନ୍ତର୍ଗତ ସି.ଆର୍‌.ପି. ଛକ ନିକଟରେ ଜଣେ ମହିଳାଙ୍କୁ ଲୁଟ୍‌ କରିବା ଉଦ୍ୟମରେ ତାଙ୍କ ତଣ୍ଟି କାଟିଥିବା ଯୁବକ ଲକଡାଉନ୍‌ ଆରମ୍ଭ ହେବା ସମୟରୁ କାମ ହରେଇ ବେକାର୍‌ ବସିଥିଲା । ଟଙ୍କା ଆବଶ୍ୟକ ହେବାରୁ ସେ ଅପରାଧକୁ ଏକ ସହଜ ପନ୍ଥା ବୋଲି ଭାବି ସକାଳର ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।

ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଥିବା ଏହି ଜଘନ୍ୟ କାଣ୍ଡ ଘଟିବାର ଦିନକ ପରେ କମିଶନରେଟ୍‌ ପୋଲିସ ସେହି ଯୁବକକୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଥିଲା । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ଼ ଗିରଫ କରିଥିବା ୨୫-ବର୍ଷୀୟ ଯୁବକ ଅମର ଦିଗାଲ ନୟାପଲ୍ଲୀ ରେଣ୍ଟାଲ୍‌ କଲୋନୀର ରହେ । ନୟାପଲ୍ଲୀ ଅଞ୍ଚଳରେ ଚଢ଼ାଉ କରି ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା ।

ଅଭିଯୁକ୍ତ ଅମର ଦିଗଲ ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି । ସେ ଜଣେ ପେସାଦାର ଅପରାଧୀ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲେ ବି ତା’ର ଅତୀତର କାର୍ଯ୍ୟକଳାପକୁ ନେଇ ତଦନ୍ତ ଚଳାଇଛି । ଅମର ଲକଡାଉନ୍‌ ଆରମ୍ଭ ହେବା ପୂର୍ବରୁ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା । ହେଲେ ଗତ ବର୍ଷ ଲକଡାଉନ୍‌ ପରଠୁ ତାକୁ ରଙ୍ଗ କାମ ମିଳିବା ବନ୍ଦ ହୋଇଯିବାରୁ ସେ କିଛି ଦିନ ପରିବା ବେପାର କରିଥିଲା । କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହରରେ ତାକୁ କୌଣସି କାମ ନ ମିଳିବାରୁ ସେ ଏଣେ ତେଣେ ବୁଲୁଥିଲା ବୋଲି ପୋଲିସ କହିଛି ।

‘ମହିଳାଙ୍କ ଉପରେ ଆକ୍ରମଣ ଘଟଣା ପରଠୁ ଅମର ଫେରାର୍‌ ଥିଲା । ତାକୁ ଧରିବା ପାଇଁ ନୟାପଲ୍ଲୀ ଥାନା ଓ ସ୍ପେଶାଲ୍‌ ସ୍କ୍ୱାର୍ଡ଼ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଯଦିଓ ସି.ସି.ଟି.ଭି. ଫୁଟେଜରେ ପୂରା ଘଟଣା ରେକର୍ଡ଼ ହୋଇଥିଲା, ସେ ମାସ୍କ ପିନ୍ଧିଥିବାରୁ ସ୍ପଷ୍ଟ ଭାବେ ଜଣା ପଡୁ ନ ଥିଲା । ତେଣୁ ତାକୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ଚାଲେଞ୍ଜ ଥିଲା । ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସି.ସି.ଟି.ଭି.ର ଫୁଟେଜକୁ ଯାଞ୍ଚ କରିବା ପରେ ଆମେ ଅମରକୁ ଧରିବାରେ ସକ୍ଷମ ହୋଇଥିଲୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଆମେ ଅଭିଯୁକ୍ତ ଯୁବକର ପୁରୁଣା ଆପରାଧିକ ରେକର୍ଡ଼ ବିଷୟରେ ଏବେ ଖୋଳତାଡ଼ କରୁଛୁ । ଆକ୍ରମଣରେ ସେ ବ୍ୟବହାର କରିଥିବା ଅସ୍ତ୍ର ଛୁରୀ ନୁହେଁ, ମାତ୍ର ଛୁରୀ ପରି ଏକ ଧାରୁଆ ଅସ୍ତ୍ର ଥିଲା । ସି.ସି.ଟି.ଭି. ଫୁଟେଜକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ସେ ପେସାଦାର ଅପରାଧୀ ନୁହେଁ । ତା’ର ହାବଭାବ ଦେଖିଲେ ସେ ପେସାଦାର ଅପରାଧୀ ବୋଲି ବାରି ହେଉନି । ତଥାପି ଆମେ ତଦନ୍ତ କରୁଛୁ । ଆବଶ୍ୟକ ପଡ଼ିଲେ ତା’ ପରିବାର ଲୋକଙ୍କୁ ବି ପଚରାଉଚରା କରାଯିବ,’’ କହିଛନ୍ତି ଡିସିପି ମିଶ୍ର ।

ଏହି ଦୁଃସାହହସିକ ଆକ୍ରମଣ ସି.ଆର୍‌.ପି. ଛକଠୁ ମାତ୍ର ୧୦୦ ମିଟର ଦୂରରେ ଘଟିଥିଲା । ଅମର ଅଂଶୁ ଗୁପ୍ତାଙ୍କ ଗଳା କାଟିଦେଇ କିଛି ବାଟ ଦୌଡ଼ି ପଳାଇବା ପରେ ପୁଣି ଥରେ ତାଙ୍କ ଆଡ଼କୁ ଆସୁଥିଲା । ଅଂଶୁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ ଓ ଅମର ସେଠୁ ଚମ୍ପଟ ମାରିଥିଲା । ନହେଲେ ସେ ତାଙ୍କ ମୋବାଇଲ୍‌ ଫୋନ୍‌ ଓ ସୁନା ଚୁଡ଼ି ନେବାକୁ ପ୍ରୟାସ କରିଥାନ୍ତା ବୋଲି ସି.ସି.ଟି.ଭି. ଫୁଟେଜରୁ ପ୍ରତୀତ ହେଉଛି ।

Leave A Reply

Your email address will not be published.