କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଦେଶରେ କରୋନା ସଂକ୍ରମଣ ମାମଲା ବେକାବୁ ଭାବେ ବଢ଼ି ଚାଲିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବା ଆବଶ୍ୟକତା ରହିଛି କି ? ଏନେଇ ପ୍ରଧାନମନ୍ତ୍ରୀ ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ପୁଡୁଚେରୀ ଓ ଜମ୍ମୁକାଶ୍ମୀର ଉପରାଜ୍ୟପାଳଙ୍କ ସହ କଥା ହୋଇଛନ୍ତି ।

ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍, ବେଡ୍ ସମସ୍ୟା ସ୍ୱାସ୍ଥ୍ୟସେବାର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି । ଅନେକ ରାଜ୍ୟ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ନାଇଟ୍ କର୍ଫ୍ୟୁ, ୱିକେଣ୍ଡ ସଟଡାଉନ୍ ଠାରୁ ନେଇ ଲକଡାଉନ୍ ଲାଗୁ କରିଛନ୍ତି । ତଥାପି ସଂକ୍ରମଣ ସ୍ଥିତିରେ ସୁଧାର ଆସୁନାହିଁ । ଏମିତିରେ ଦେଶବ୍ୟାପୀ ଲକଡାଉନ୍ ନେଇ ଆଲୋଚନା ଚାଲିଛି ।

ଆମେରିକାର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଏଣ୍ଟନି ଫାଉଚି ମଧ୍ୟ ଭାରତରେ ଲକଡାଉନ୍ ସପକ୍ଷରେ ଅଛନ୍ତି । ଲକଡାଉନ୍ ହିଁ ସଂକ୍ରମଣ ଗତିକୁ ରୋକିବ ବୋଲି ସେ କହିଛନ୍ତି । ଗୁରୁବାର ଦେଶରେ କରୋନାର ରେକର୍ଡ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି । ଦିନକରେ ୪.୧୨ ଲକ୍ଷ ସଂକ୍ରମଣ ମାମଲା ଆସିଥିବା ବେଳେ ୪ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩ ଲକ୍ଷ ପାର୍ କରିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟରେ ସବୁଠୁ ଅଧିକ ମାମଲା ଆସୁଛି । ଦୁନିଆରେ ସବୁଠୁ ଅଧିକ କରୋନା ସଂକ୍ରମିତ ମାମଲା ଭାରତରେ ଚିହ୍ନଟ ହେଉଛି ।

Leave A Reply

Your email address will not be published.