ଅମ୍ଲଜାନ ଅଭାବରୁ ଚାଲିଗଲା ୨୪ଜୀବନ !

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଦେଶରେ ଥମୁନି ମୃତ୍ୟୁର ତାଣ୍ଡବ । ଅକ୍ସିଜେନ ଅଭାବରୁ ଚାଲିଯାଉଛି ହଜାର ହଜାର ଜୀବନ । ପ୍ରତ୍ୟେକ ଦିନ କରୋନା ରୋଗୀଙ୍କର ମୃତ୍ୟୁ ଏହିଭଳି ଅସହାୟ ଅବସ୍ଥାରେ ଘଟୁଛି । ଦିଲ୍ଲୀ ଓ ଉତ୍ତରପ୍ରଦେଶର ଅକ୍ସିଜେନ ଅଭାବର ଭୟାବହ ଦୃଶ୍ୟ ଦେଖିସାରିବା ପରେ ଆଜି କର୍ଣ୍ଣାଟକର ସ୍ଥିତି ମଧ୍ୟ ବେହାଲ । କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ଅଭାବରୁ ୨୪ଜଣ କୋଭିଡ୍ ରୋଗୀଙ୍କର ମୃତ୍ୟୁ ହୋଇଛି । ଗତକାଲି ମଧ୍ୟରାତ୍ରୀରେ ଘଟିଛି ଏହିଭଳି ଦୁଃଖଦ ଘଟଣା । ଏହି ଘଟଣା ଘଟିସାରିବା ପରେ ମେସୁରରୁ ଚାମରାଜନଗରକୁ ଦେଢଶହ ଅକ୍ସିଜେନ ସିଲିଣ୍ଡର ପଠାଯାଇଥିଲା ।

ଦିଲ୍ଲୀର ବତ୍ରା ହସ୍ପିଟାଲରେ ଅକ୍ସିଜେନ ଡେରିରେ ପହଂଚିବାରୁ ଯେଉଁ ଘଟଣା ଘଟିଥିଲା । ଠିକ୍ ସେହିଭଳି କର୍ଣ୍ଣାଟକର ଚାମରାଜନଗରରେ ଅକ୍ସିଜେନ ବିଳମ୍ବରେ ପହଂଚିବାରୁ ୨୪ଜଣଙ୍କର ପ୍ରାଣ ଗଲା । ସୂଚନା ଅନୁସାରେ ଜୀବନ ଯାଇଥିବା ଅଧିକାଂଶ ଲୋକ ଭେଣ୍ଟିଲେଟରରେ ରହିଥିଲେ । ଅକ୍ସିଜେନ ସପ୍ଲାଏ ଶେଷ ହେବା ପରେ ରୋଗୀମାନେ ନିଶ୍ୱାସ ନେବାପାଇଁ ଅନେକ କଷ୍ଟପାଇ ମୃତ୍ୟୁବରଣ କରିଛନ୍ତି । ଅକ୍ସିଜେନ ଶେଷ ହେବା ପରେ ବେଲ୍ଲାରୀ ଠାରୁ ଅକ୍ସିଜେନ ଆସିବାର ଥିଲା । କିନ୍ତୁ ଅକ୍ସିଜେନ ଠିକ୍ ସମୟରେ ପହଂଚିନପାରିବାରୁ ଏତେ ବଡ ଅଘଟଣ ଘଟିଗଲା । ବର୍ତ୍ତମାନ କର୍ଣ୍ଣାଟକରେ କରୋନାର ସଂକ୍ରମିତଙ୍କ ମୋଟ ସଂଖ୍ୟା ୧୬ଲକ୍ଷରୁ ପାର୍ ହେଲାଣି । ରବିବାର ଦିନ ୩୭ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ତାସହ ୨୧୭ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଆଉ ଏସବୁ ଭିତରେ ରୋଗୀମାନେ ବଂଚିବା ପାଇଁ ଅକ୍ସିଜେନ ଅଭାବର ସ୍ଥିତି ଦେଇ ବି ଗତି କରୁଛନ୍ତି । ଅନେକ ସପ୍ତାହଧରି ଏହିଭଳି ସ୍ଥିତି କଣ୍ଣାଟକର ବିଭିନ୍ନ ହସ୍ପିଟାଲରେ ଦେଖିବାକୁ ମିଳୁଛି । ଅକ୍ସିଜେନ ଅକ୍ସିଜେନ କହି ଲୋକେ ଛଟପଟ ହେବାର ନଜର ଆସୁଛନ୍ତି । ଦେଶର ଏହିଭଳି ସଙ୍ଗିନ ସ୍ଥିତିରେ ରୋଗୀଙ୍କର ଅକ୍ସିଜେନ ଅଭାବର ମୃତ୍ୟୁ ସତରେ ଖୁବ୍ ଦୁଃଖ ଦାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କରୋନା ସଂଙ୍କଟ ମଧ୍ୟରେ ଦେଶରେ ଅମ୍ଲଜାନ ଏବଂ ଓ୍ୟଷଧ ଅଭାବ ସଂମ୍ପର୍କରେ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈାଠକ କରିଛନ୍ତି । ଯେଉଁଥିରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଦେଶର ସ୍ୱାସ୍ଥବ୍ୟବସ୍ଥାର ସ୍ଥିତି କେତେ ଖରାପ ରହିଛି ତାହାକୁ ନଜରରେ ରଖି ମେଡିକାଲ ଛାତ୍ରମାନଙ୍କୁ କୋଭିଡ ଡିଉଟିରେ ନିୟୋଜିତ କରିବାକୁ ଯୋଜନା ହେଉଛି । ତେବେ ସରକାରଙ୍କ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ଅନେକ ରୋଗୀଙ୍କର ମୃତ୍ୟୁ ହେଇଚାଲିଛି । ରୋଗୀଙ୍କର ଆତ୍ମୀୟସ୍ୱଜନଙ୍କର ଦୁଃଖ ଓ ଯନ୍ତ୍ରଣାର କଷ୍ଟ ମଧ୍ୟ ସମୟ ହିସାବରେ ବଢିବଢି ଚାଲିଛି । ଅପେକ୍ଷା ସେହିଦିନକୁ ଯେବେ ସାରା ଭାରତରେ ସଠିକ୍ ସମୟରେ ଅକ୍ସିଜେନ ଓ ବେଡ୍ ଉପଲବ୍ଧ ହୋଇପାରିବ ।

Leave A Reply

Your email address will not be published.