ପ୍ରଳୟଙ୍କାରୀ ବାତ୍ୟା ଫନିକୁ ପୂରିଲା ୨ ବର୍ଷ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):୨୦୧୯ ମସିହା ମେ ୩ । ସେହି ଦିନର ଘଟଣା ଆଜିବି ଲୋକଙ୍କ ମାନସପଟରୁ ଲିଭିନାହିଁ । ଏହି ଦିନ ଆସିଥିଲା ପ୍ରଳୟଙ୍କାରୀ ବାତ୍ୟା ଫନି। ଆଉ ଦୋହଲାଇ ଦେଇଥିଲା ସାରା ଓଡିଶାକୁ । ୨ ବର୍ଷ ତଳେ ବାତ୍ୟା ଫନି ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ। ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିଲା ପବନ । ନିମିଷ.କେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହଜାର ହଜାର ଘର, ଆଉ ମାଟିରେ ଶୋଇପଡ଼ିଥିଲା ଲକ୍ଷ ଲକ୍ଷ ଗଛ ।

ସମୟ ବଦଳିଛି, ଆଗକୁ ବଢିଛି ଦୁନିଆ ହେଲେ ପଛରେ ଛାଡ଼ିଯାଇଛି ଦୁର୍ଦ୍ଦଶାର ଚିତ୍ର । ଯଦିଓ ମାଟିରେ ଶୋଇପଡ଼ିଥିବା ଗଛ ଅଣ୍ଟାସଳଖି ପୁଣି ସବୁଜିମାରେ ଭରିପଡ଼ିଛି, ମାତ୍ର ଭଙ୍ଗା କାନ୍ଥ ଏବେବି ବଖାଣୁଛି ଦୁର୍ଦ୍ଦଶାର ଚିତ୍ର । ନିମାପଡ଼ା ଓ ଗୋପ ଅଞ୍ଚଳର ବିପନ୍ନଙ୍କ ଛାତିତଳେ ଲୁଚି ରହିଛି କୋହ । ପ୍ରଳୟର ଦିନ କଥା ଭାବିଲେ ଆଖିରେ ଜକେଇ ଆସୁଛି ଲୁହ ।

୧୯୯୯ରୁ ୨୦୧୯, ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଅନେକ ମହାବାତ୍ୟା, ବାତ୍ୟାକୁ ସାମନା କରିଛି । ପୁଣି ଛାତିକୁ ଟାଣ କରି ଛିଡ଼ା ହୋଇଛି । ୨୦୧୯ ମସିହା ମେ ୩, ଆଜିକୁ ଠିକ୍ ବର୍ଷେ । ଓଡ଼ିଶା ଦେଖିଥିଲା ବାତ୍ୟା ‘ଫନି’ର କରାଳ ପ୍ରକୋପ । ସମୁଦ୍ର ତଟରୁ ଶ୍ମଶାନ, ରେଲୱେ ଷ୍ଟେସନରୁ ରାଜଧାନୀର କୋଣ ଅନୁକୋଣ । ସବୁଠି ତାଣ୍ଡବ ରଚିଥିଲା ‘ଫନି’ ।

ବାତ୍ୟା ‘ଫନି’ ଯୋଗୁଁ ଅଧା ଓଡ଼ିଶା ପ୍ରଭାବିତ ହୋଇଥିଲା । ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।

ମେ ୩ ସକାଳୁ ପବନର ବେଗ ବଢ଼ିବା ସହ ବଢ଼ିଥିଲା ବର୍ଷା । ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ୍ ଅଧିକ ଥିଲା । ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫନି’ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି ।

ଉଜୁଡ଼ି ଯାଇଥିଲା ହୋଟେଲ ଶିଳ୍ପ, ହରିଣଙ୍କ କୋଳାହଳରେ କମ୍ପୁଥିବା ବାଲୁଖଣ୍ଡ ଅଭୟାରଣ୍ୟ ବି ବାଦ୍ ପଡ଼ିନଥିଲା । ହରିଣ ସବୁ ଗାଏବ ହୋଇଯିବା ସହ ନିଶ୍ଚିହ୍ନ ହୋଇଯାଇଥିଲା ଜଙ୍ଗଲ । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ ।

ସବୁବେଳେ ବାତ୍ୟା କଥା ଶୁଣି ହସରେ ଉଡ଼ାଇ ଦେଉଥିବା ରାଜଧାନୀବାସୀ ଦେଖିଥିଲେ ‘ଫନି’ର କରାଳ ରୂପ । ରାଜଧାନୀର ସବୁଜିମା ଧରାଶାୟୀ ହେବା ସହ ଭୂମିରେ ଲୋଟି ପଡ଼ିଥିଲା ଇଲେକ୍ଟ୍ରି ଖୁଣ୍ଟ, ବଡ଼ ବଡ଼ ହୋର୍ଡିଂ । ବସ୍ତି ଗୁଡ଼ିକୁ ଛାରଖାର୍ କରି ଦେଇଥିଲା ୩ ଘଣ୍ଟାର ବର୍ଷା ଓ ପବନ । ‘ଫନି’ ଲ୍ୟାଣ୍ଡଫଲ୍ ପରର ଚିତ୍ରକୁ ଆଖିରେ ଦେଖି ବିଶ୍ୱାସ କରି ହେଉନଥିଲା ।

Leave A Reply

Your email address will not be published.