କରୋନା ସଂକଟରେ ସାହାଯ୍ୟକରି ମୁଖ୍ୟମନ୍ତ୍ରୀ ହାତେଇଥିବା ପ୍ରଶଂସାକୁ ବିଜେପି ହଜମ କରିପାରୁନି: ବିଜେଡି

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ସଂକଟରେ ଓଡ଼ିଶା ସାଜିଲା ପଥ ପ୍ରଦର୍ଶକ। କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହେଲା ଓଡ଼ିଶା। ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଥିବାବେଳେ ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି। ଅମ୍ଲଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି। କିନ୍ତୁ ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଅକ୍ସିଜେନ୍ ପଠାଇ ସାଉଣ୍ଟିଛନ୍ତି ପ୍ରଶଂସା। ହେଲେ ମୁଖ୍ୟମନ୍ତ୍ରୀ ହାତେଇଥିବା ଗଦା ଗଦା ପ୍ରଶଂସାକୁ ହଜମ କରିପାରୁନାହାଁନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଓଡ଼ିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍‌ସିତା ସାହୁ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଜବାବ ଦେଇ ସୁଶ୍ରୀ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡ଼ିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ତେବେ ଏଭଳି ପ୍ରଶଂସାକୁ ଏବେ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ। ଯାହା ଲେଖାଶ୍ରୀଙ୍କ ପ୍ରତିକ୍ରିୟାରୁ ସଫା ସଫା ବାରିହୋଇ ପଡୁଛି।

ଲେଖାଶ୍ରୀ ପିପିଲି ଟିକଟ ପାଇଁ ଆଶାୟୀ ଥିଲେ। ସେଥିରେ ସଫଳ ନହେବା ଓ ଦଳରେ ନିଜର ପ୍ରାସଙ୍ଗିତା ହରାଉଥିବାରୁ ଏବେ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅବାନ୍ତର ଯୁକ୍ତି ବାଢ଼ଉଛନ୍ତି। ଏଭଳି ମନ୍ତବ୍ୟ ଦେଇ ନିଜକୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। କିନ୍ତୁ ଓଡ଼ିଶାର ଜନସାଧାରଣ ବିଜେପି ନେତ୍ରୀଙ୍କର ଏଭଳି ନିତିଦିନିଆ ମନଗଢା ବିବୃତ୍ତି ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

Leave A Reply

Your email address will not be published.