ମୁଖ୍ୟମନ୍ତ୍ରୀଙ୍କ ପାନୀୟ ଜଳ ଯୋଗାଣ ସମୀକ୍ଷା , ଗ୍ରୀଷ୍ମ ପାଇଁ ପ୍ରସ୍ତୁତି ରହିବାକୁ ପରାମର୍ଶ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରମାଣ ପତ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଖୁବ ଶୀଘ୍ର ଗ୍ରୀଷ୍ମ ଋତୂ ଆସିଥିବାରୁ ଏବଂ ଏବର୍ଷ ପୂର୍ବାପେକ୍ଷା ଅଧିକ ଗରମ ହେବାର ସମ୍ଭାବନା ଥିବାରୁ ଆମକୁ ପୂର୍ବ ବର୍ଷ ଗୁଡିକ ଅପେକ୍ଷା ଅଧିକ ପ୍ରସ୍ତୁତି କରିବାକୁ ପଡିବ। ନିୟମିତ ପାନୀୟ ଜଳ ସମସ୍ୟା ଥିବା ହଟ୍‌ସ୍ପଟ୍‌ ଅଂଚଳ ଗୁଡିକୁ ଚିହ୍ନଟ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ଏକ ତ୍ରୁଟିଶୂନ୍ୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସହିତ ବୈଷୟିକ ଜ୍ଞାନସଂପନ୍ନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବରିଷ୍ଠ ଅଧିକାରୀମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଉତ୍ତମ ରୂପେ ତଦାରଖ କରି ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳମାନେ ନିୟମିତ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରୁଛନ୍ତି। ଗ୍ରାମାଞ୍ଚଳରେ ୧୭ ହଜାର କୋଟି ଟଙ୍କାର ୮୯ଟି ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମ୍ୟ ପରିବାରକୁ ଶତପ୍ରତିଶତ ପାଇପ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.