ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଶାରୁ ୩

‘ଶଲାବୁଢ଼ାର ବଦଲା’, ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ମନୋନୀତ

ଣିଛି ଖୁସି ଖବର। ଆଞ୍ଚଳିକ ଭାଷା‌ରେ ଦିଆଯାଉଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଯୁଗ୍ମ ଭାବେ ପୁରସ୍କାର ଲାଗି ମନୋନୀତ ହୋଇଛି ଡ.ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’। ସେହିପରି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଅଣ-ଫିଚର ବର୍ଗରେ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି ଓଡ଼ିଆ ପ୍ରାମାଣିକ ଛବି ‘ଶ୍ରୀକ୍ଷେତ୍ରରୁ ସାହିଯାତ’। ଏହାର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ପଟ୍ଟନାୟକ। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି।

ଡ. ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ତାଙ୍କର ପୂର୍ବ ଚଳଚ୍ଚିତ୍ର ‘ଶଲାବୁଢ଼ା’ର ସିକ୍ବେଲ ହୋଇଥିବାବେଳେ ନ୍ୟୁ ଜେନେରେସନ ଫିଲ୍ମସ ଏହାର ପ୍ରଯୋଜନା କରିଛନ୍ତି। ସେହିପରି ପାରିବେଶିକ ସଙ୍କଟର ଜନଜୀବନ ଉପରେ ପ୍ରଭାବ ଭଳି ଗୁରୁତ୍ବପୂର୍ଣ୍ଣ କଥାବସ୍ତୁ ଆଧାରିତ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ ଏଲେନୋରା ଇମେଜେସ ପ୍ରାଇଭେଟ ଲିମିଟେଡ ଦ୍ବାରା ପ୍ରଯୋଜିତ ହୋଇଛି। ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଲୋକକଳା ଓ ସଂସ୍କୃତି ଉପରେ ଆଧାରିତ ଛବି ଶ୍ରୀକ୍ଷେତ୍ରରୁ ସାହିଜାତ ମଧ୍ୟ ଶ୍ରେଷ୍ଠ କଳା-ସଂସ୍କୃତି ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେବା ଆନନ୍ଦର ବିଷୟ।

Leave A Reply

Your email address will not be published.