ବୈତରଣୀ ପଠାରେ ଦେଖାଗଲା ଆଉ ଏକ ମନ୍ଦିରର ମୁଖଶାଳା

ଭୁବନେଶ୍ବର:(ଏସ. ନ୍ୟୁଜ୍‌): ନଦୀପଠାରେ ପୁଣି ଦେଖାଗଲା ଆଉ ଏକ ମନ୍ଦିର । ବୈତରଣୀ ନଦୀ ପଠାରେ ଦେଖିବାକୁ ମିଳିଛି ଆଉ ଏକ ମନ୍ଦିର ମୁଖଶାଳା । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଲାଗିରହିଛି । ନଦୀଗର୍ଭରେ ବାହାରି ଥିବା ଶିବ ଲିଙ୍ଗକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଘଟଣାସ୍ଥଳରେ ଦଶରଥପୁର ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ମଧ୍ୟ ଦର୍ଶନ କରିଛନ୍ତି ।

ଖବର ଅନୁଯାୟୀ, ଗତକାଲି ବୈତରଣୀ ନଦୀ ଗର୍ଭରେ ବାଲି ଖୋଳା ଚାଲିଥିବା ବେଳେ ଏକ ମନ୍ଦିର ଓ ଶିବଲିଙ୍ଗ ଠାବ ହୋଇଥିଲା । ଯାଜପୁର ଦଶରଥପୁରର ବହୁ ପୁରାତନ ସିଦ୍ଧେଶ୍ବର ମନ୍ଦିରର ଦୁଇଶହ ମିଟର ଦୂରରେ ଥିବା ବୈତରଣୀ ନଦୀ ଗର୍ଭରୁ ଏକ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ଜେସିବି ସାହାଯ୍ୟରେ ବେଆଇନ ବାଲି ଖୋଳା ଚାଲିଥିବା ବେଳେ ହଠାତ ଏହି ମନ୍ଦିର ଆବିଷ୍କୃତ ହୋଇଛି। ବାଲି ହଟିବା ପରେ ପାଣି ଭିତରେ ଥିବା ମନ୍ଦିର ଓ ଗୋଟିଏ ଶିବ ଲିଙ୍ଗ ଭଳି ଉଭା ହୋଇଥିଲା ।  ଏହି ପଥରର ଉଚ୍ଚତା ପାଖାପାଖି ୩ ଫୁଟ ରହିଛି । ନଦୀ ଗର୍ଭରୁ  ମନ୍ଦିର ବାହାରିବା ଖବର ଜଣାପଡିବା ପରେ ନଦୀ ପଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ନଦୀ ଗର୍ଭରୁ ମିଳିଥିବା ମନ୍ଦିର ଓ ଶିବଲିଙ୍ଗ ଭଳି ଦେଖା ଯାଉଥିବା ପ୍ରସ୍ତର ଖଣ୍ଡ କେତେ ବର୍ଷ ପୂରୁଣା ଏବଂ ଏହା ପ୍ରକୃତରେ କେଉଁ ମନ୍ଦିର ପ୍ରତ୍ନତତ୍ତ୍ବ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଅନ୍ୟପଟେ ରାତି ଦିନ ଏହି ନଦୀ ଏଠାରୁ ବେଆଇନ ଭାବେ ଅନବରତ ବାଲି ଖୋଳା ଚାଲିଛି । ବେଆଇନ ବାଲି ଖନନ ଯୋଗୁ ସିଦ୍ଧେଶ୍ବର ମନ୍ଦିର ନଦୀ ଗର୍ଭରେ ଲୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ପ୍ରଶାସନର ଏହା ଉପରେ କିପରି ନଜର ପଡୁନାହିଁ ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । 

Leave A Reply

Your email address will not be published.