ପବିତ୍ର ଶାମ୍ବ ଦଶମୀ:ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର ,(ଏସ୍‌ଏନ୍ୟୁଜ): ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବଦଶମୀ । ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା କରାଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୃଷ୍ଠ ରୋଗାକ୍ରାନ୍ତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜା କରି ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ରହିଛି ।

ଏହି ପର୍ବରେ ମା’ମାନେ ସନ୍ତାନଙ୍କ ନାମରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲଗାଇଥାନ୍ତି । ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ପୂଜା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ପକାଇଥିବା ନେଇ ଜଣାପଡିଛି । ସେପଟେ ପ୍ରତ୍ୟୁଷରୁ କୋଣାର୍କର ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁ ସୁର୍ଯ୍ୟାଦୟ ଦର୍ଶନ କରିଛନ୍ତି । ଆଜି କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.