ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, କମିଶନଙ୍କ ପକ୍ଷରୁ ନିର୍ବାଚନ ସଙ୍କେତ ପ୍ରକାଶ ପାଇଛି ।

ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଚିଠି ଲେଖିଛନ୍ତି । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଏହି ସଂକେତ ଜାରି ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ସଂକେତ ଜାରି ହୋଇଛି । ଏହା ସହିତ ସମିତି ସଭ୍ୟଙ୍କ ପାଇଁ ୧୯ଟି ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ ପ୍ରକାର ସଂକେତ ଜାରି ହୋଇଛି । ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ୧୯ ପ୍ରକାର ସଂକେତ ଜାରି ହୋଇଛି । ଏହି ସଂକେତ ଭିତରେ ଶଗଡ ଗାଡି, ନିକିତି, କଲମ, ନଡିଆ ଗଛ, ଖୋଲା ବହି, ମାଛ, ସୂର୍ଯ୍ୟ, ଲଙ୍ଗଳ, କେଟଲି ତଥା ଟୁଲ୍‌, ବସ ଭଳି ଅନେକ ପ୍ରକାରର ସଂକେତ ଜାରି କରାଯାଇଛି ।

ସେହିପରି ବାଲଟ ପେପର ସରକାରୀ ପ୍ରେସରେ ଛପା କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଲଫାବେଟିକାଲ ଅନୁସାରେ ଚିହ୍ନ ପ୍ରଦାନ କରାଯିବ । ଅନ୍ୟ ରାଜ୍ୟରୁ ଆବଶ୍ୟକୀୟ ବାଲଟ ବକ୍ସ ଆସି ପହଞ୍ଚି ସାରିଲାଣି । ଭୋଟର ତାଲିକା ପ୍ରସ୍ତୁତି ଶେଷ ହୋଇ ପ୍ରକାଶ ପାଇ ସାରିଛି । କୋଭିଡ ସ୍ଥିତିକୁ ଦେଖି ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.