ରାଜ୍ୟରେ କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି : କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ବଦଳିବ ଦୃଷ୍ଟିଭଙ୍ଗୀ
ଭୁବନେଶ୍ୱର,(ଏସ୍.ନ୍ୟୁଜ): କିନ୍ନରଙ୍କ ପାଇଁ ଖୁସିର ଖବର । ବିଭିନ୍ନ ବିଭାଗର ମତାମତ ସଂଗ୍ରହ ପରେ ପ୍ରଥମ ଥର ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି ।
କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ସମାଜରୁ ଦୂର ହେବ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀ । ଯାହାକୁ ନେଇ କିନ୍ନରଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହାକୁ ନେଇ ସରକାରୀ ଭାବେ ଜାରି ହେଲା ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୨୨ ହଜାରରୁ ଅଧିକ କିନ୍ନର ପଞ୍ଜିକୃତ ହୋଇଛନ୍ତି । ତେବେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ । ୨୦୧୪ରେ ସର୍ବୋଚ୍ଚ ନ୍ୟାୟଳୟ ସେମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଥିଲେ । ୨୦୧୯ରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ଆଇନ୍ କରିବା ସହ ସମସ୍ତ ରାଜ୍ୟକୁ ନିଜ ନିଜ ପଲିସି ପ୍ରଣୟନ କରିବାକୁ କହିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ କିନ୍ନରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଚିଠା ପଲିସି ଚୂଡ଼ାନ୍ତ ହେବା ପରେ ସମାଜରେ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୋଇପାରିବ ବୋଲି ଆଶା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏନେଇ ବିଭିନ୍ନ ବିଭାଗର ମତାମତ ସଂଗ୍ରହ କରାଯାଉଛି । ସ୍ୱତନ୍ତ୍ର ମଙ୍ଗଳ ବୋର୍ଡ ଗଠନ ସହ ସେମାନଙ୍କର ବିଭିନ୍ନ ଦାବିକୁ ଏଥିରେ ସାମିଲ୍ କରାଯିବ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି କିନ୍ନର ମହସଂଘ ।