ଭୁବନେଶ୍ୱର,(ଏସ୍.ନ୍ୟୁଜ): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ମଙ୍ଗଳବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ଉପରେ ରୋକ ଲାଗିଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । ପୁରସ୍କାର ଚୟନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଆସନ୍ତା ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରସ୍କାର ଚୟନ ଉପରେ ଅସନ୍ତୋଷ ପ୍ରକାଶ କରି ଛବିରାଣୀ ଫିଲ୍ମର ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । କଟକ ଠାରେ ପୁରସ୍କାରକୁ ନେଇ ବର୍ଷିଥିଲାବେଳେ ପୁଣି ଭୁବନେଶ୍ୱର ଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପୁରସ୍କାର ମନୋନୟନରେ ଜୁରୀମାନେ ପାତରଅନ୍ତର ଓ ପକ୍ଷପାତିତା କରିଥିବା ଅଭିଯୋଗ କରିଥିଲେ । ଚଳିତ ବର୍ଷ ଘୋଷଣା ହୋଇଥିବା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ କଳାକାର ସଂଘ ଓ ନିର୍ଦ୍ଦେଶକ, ପ୍ରଯୋଜକମାନଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।