ଭୁବନେଶ୍ୱର,(ଏସ୍.ନ୍ୟୁଜ): ସରିଲା କ୍ଷୟକ୍ଷତି ଆକଳନ । ଜୱାଦ ବାତ୍ୟାରେ ବର୍ଷା ହେବା ଯୋଗୁଁ ଓଡ଼ିଶାରେ ବ୍ୟାପକ ଫସଲ ହାନୀ ହୋଇଥିଲା । କତେ କ୍ଷୟକ୍ଷତି କରିଛି ଜୱାଦ ଏହାକୁ ଦେଖିବା ପାଇଁ କେନ୍ଦ୍ରରୁ କ୍ଷୟକ୍ଷତି ଆକଳନ ପାଇଁ ଟିମ ଆସିଥିଲା । କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ । ଆଲୋଚନା ପରେ ଏହାପରେ ଦିଲ୍ଲୀ ଫେରି ଯାଇଛି କେନ୍ଦ୍ରୀୟ ଟିମ । ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିବା କେନ୍ଦ୍ରୀୟ ଟିମ୍ସଦସ୍ୟ ଡକ୍ଟର ମାନସ କୁମାର ସିହ୍ନା କହିଛନ୍ତି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚିନାବାଦାମ ପରି ଅର୍ଥକରୀ ଫସଲ, ପନିପରିବା ବିଲରେ ପଚିଯାଇଛି । ଚାଷୀଙ୍କୁ କିପରି ଉଚିତ୍ ସହାୟତା ମିଳିବ, କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ।
ଏହାସହ ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବାକୁ କୁହାଯାଇଛି । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ, ସେଥିଲାଗି କ୍ଷେତ୍ରସ୍ତରରେ ପଦକ୍ଷେପ ନିଆଯିବ । ଆବଶ୍ୟକସ୍ଥଳେ ରିଲିଫ କୋଡ୍ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ରୀୟ ଟିମ କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ୱରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ । ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲା, ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।