ଜେଲ ଗଲେ ଦୁଇ କଣ୍ଟ୍ରାକ୍ଟ କିଲର : ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜାଲ ବିଛାଇଛି ନୟାପଲ୍ଲୀ ଥାନା ପୋଲିସ୍‌

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): କଣ୍ଟ୍ରାକ୍ଟ କିଲର ଜେଲ ଗଲେ । ଭୁବନେଶ୍ୱର ନୟାପଲ୍ଲୀରୁ ଗିରଫ ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଏବଂ ପ୍ରଶାନ୍ତ ଦାସର ୪ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଚାରି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତଙ୍କଠାରୁ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ୍‌ । ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଫାଇନାନ୍ସର କିଏ ତାର ସୁରାକ ପୋଲିସ୍‌ ହାତରେ ଲାଗିଛି । ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଏହି ଦୁଇ ଅଭିଯୁକ୍ତକୁ ବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜାଲ ବିଛାଇଛି ପେଲିସ୍‌ ।

ରିମାଣ୍ଡ ବେଳେ ପୋଲିସକୁ ମିଳିଛି ମୁଖ୍ୟ ମାଷ୍ଟରମାଇଣ୍ଡର ସୁରାକ୍‌ । ବ୍ୟବସାୟୀଙ୍କୁ ହତ୍ୟା ପାଇଁ କିଏ କେତେ ଟଙ୍କା ଦେଇଥିଲା ଏବଂ ସୁପାରି ପଛରେ କାରଣ କଣ ଥିଲା ଓ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଏବଂ ପ୍ରଶାନ୍ତ ଦାସକୁ ରିମାଣ୍ଡରେ ଆଣିଥିଲା ନୟାପଲ୍ଲୀ ଥାନା ପୋଲିସ୍‌ ।

୪ ଦିନ ରିମାଣ୍ଡ ମଧ୍ୟରେ ଅଭିଯୁକ୍ତ ଦୁଇଜଣଙ୍କଠାରୁ ପୋଲିସ ଆଦାୟ କରିଥିବା ତଥ୍ୟ ଅନୁସାରେ ସୁପାରୀ ଦେଇଥିବା ଫାଇନାନ୍ସର ଜଣେ ଚୋରା କୋଇଲା ବେପାରୀ ବୋଲି ଜାଣିବାକୁ ପାଇଛି । ସମ୍ପଦ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଥିବା ବେଳେ ପ୍ରଶାନ୍ତ ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି । ରିମାଣ୍ଡ ସମୟରେ ଦୁଇ ସୁପାରି କିଲରଙ୍କ ଠାରୁ କୌଶଳ କ୍ରମେ ମୁଖ୍ୟ ଫାଇନାନ୍ସରର ଠିକଣା ହାତେଇ ନେଇଛି ପୋଲିସ୍‌ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଆବଶ୍ୟକ ପଡିଲେ ପୁଣି ଦୁଇଜଣଙ୍କୁ ପୁଣିଥରେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ନୟାପଲ୍ଲୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.