ଭୁବନେଶ୍ୱର,(ଏସ୍.ନ୍ୟୁଜ): ଓଡିଶା ପୋଲିସ ମହିଳା ହକି ଟିମ୍ର ପ୍ରଦର୍ଶନ ସର୍ବ ଭାରତୀୟ ମହିଳା ହକି ଚାମ୍ପିଅନସିପରେ ଚମକ୍ରାର ରହିଥିଲା । ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏହି ଚାମ୍ପିଅନସିପରେ ଓଡିଶା ପୋଲିସ ମହିଳା ହକି ଟିମ୍ ମହାରାଷ୍ଟ୍ରକୁ ୬-୦ ଗୋଲ୍ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ପଦକ ହାସଲ କରିଛି । ୨ଟି ଫିଲ୍ଡ ଗୋଲ୍ ଏବଂ ୪ଟି ପେନାଲ୍ଟି କର୍ଣ୍ଣର ସହାୟତାରେ ଓଡିଶା ମହିଳା ପୋଲିସ ଏହି ସଫଳତା ହାସଲ କରିଛି । ଓଡିଶା ପୋଲିସ ମହିଳା ହକି ଟିମ୍ ତରଫରୁ ରଶ୍ମିତା ମିଞ୍ଜ ଚମତ୍କାର ଖେଳ ପ୍ରଦର୍ଶନ କରି ବହୁ ପ୍ରତୀକ୍ଷିତ ବିଜୟ ପ୍ରଦାନ କରିଥିଲେ । ରଶ୍ମିତା ୪ଟି ଗୋଲ୍ ଦେଇ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ କରି ଦେଇଥିଲେ । ସେହିପରି ଏଲିନ୍ ଲାକ୍ରା ଅନ୍ୟ ଦୁଇଟି ଗୋଲ୍ ଦେଇ ଓଡିଶା ମହିଳା ପୋଲିସକୁ ବିଜୟୀ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ବେଙ୍ଗାଲୁରୁଠାରେ ଆୟୋଜିତ ସର୍ବ ଭାରତୀୟ ମହିଳା ହକି ଚାମ୍ପିଅନସିପରେ ସଶସ୍ତ୍ର ସୀମା ବଳ , ସିଆରପିଏଫକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ଏବଂ ସିଆରପିଏଫ୍ ଫାଇନାଲରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି ।