କଟକ,(ଏସ୍.ନ୍ୟୁଜ): ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପୋଖତ କଳାକାର ଭାବେ ମିହିର ଦାସ ବେଶ ପ୍ରତିଷ୍ଠିତ । ଏବେ ଏହି ବର୍ଷିଆନ୍ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ତାଙ୍କ ଚିକିତ୍ସା କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚାଲିଛି । ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ମିହିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବାରୁ ତିନିଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଥିଲା ।

ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗୋଟିଏ ପଟେ ସ୍ୱାସ୍ଥ୍ୟ ଜଟିଳ ଥିବାବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ସେ ହୃଦଘାତର ଶିକାର ମଧ୍ୟ ହୋଇ ସାରିଛନ୍ତି । ତେବେ ଆଶ୍ୱସ୍ତିର କଥା, ଗତ କିଛି ଘଣ୍ଟା ହେଲା ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବନତି ଘଟି ନାହିଁ ଏବଂ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ସେପଟେ ହସ୍ପିଟାଲକୁ ଆସି ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ଅନେକ କଳାକାର । ୫୫ ବର୍ଷ ବୟସ୍କ ମିହିର ପ୍ରାୟ ୨୫ ବର୍ଷ ଧରି ଡାଇବେଟିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏହା ବ୍ୟତୀତ ତିନିବର୍ଷ ତଳେ କିଡନୀ ରୋଗରେ ମଧ୍ୟ ସେ ଆକ୍ରାନ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଚିକିତ୍ସା ଜାରି ରହିଛି ।