ଭୁବନେଶ୍ୱର,(ଏସ୍.ନ୍ୟୁଜ): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ । ମମିତାକୁ ନ୍ୟାୟ ଦେବା ଦାବିରେ ଗୁରୁବାର ବିଜେପି କର୍ମୀ ଆନ୍ଦୋଳନ କରିବା ସମୟରେ କର୍ମୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ୧୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାରୁ ଜଣାପଡିଛି କି, ମମିତା ମେହେର ଘଟଣାକୁ ନେଇ ବିଧାନସଭା ଘେରାଉ ପାଇଁ ରାଜଧାନୀରେ ଏକାଠି ହୋଇଥିଲେ ବିଜେପି କର୍ମୀ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବଦଳରେ ବିଶୃଙ୍ଖଳିତ ଆଚରଣ ଓ ଟେକା ପଥର ମାଡ଼ ଯୋଗୁଁ ୧୪ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଆଇଆଇସି, ଜଣେ ଏସିପି ଥିବା ବେଳେ ଦୁଇ ପୋଲିସ କର୍ମୀ ଗୁରୁତର ଅଛନ୍ତି । ଏହା ସହ ଗଣମାଧ୍ୟମର ୪ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି ।
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗୁରୁବାର ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ବାହାରିଥିଲା ଶୋଭାଯାତ୍ରା । ରାଲିରେ ସାମିଲ ଥିଲେ ଦଳୀୟ ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ । ବିଧାନସଭା ଘେରାଉ ପାଇଁ ମାଷ୍ଟରକ୍ୟାଂଟିିନ ଦେଇ ଲୋୟର ପିଏମଜି ଆଡ଼କୁ ମାଡ଼ି ଯାଇଥିଲେ ଶହ ଶହ ବିଜେପି ଯୁବ ଓ ମହିଳା କର୍ମୀ । ପୋଲିସ କର୍ଡ଼ନ ଭାଙ୍ଗିବାକୁ ଭରପୂର ଉଦ୍ୟମ କରିଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏହା ସମ୍ଭବ ହୋଇନଥିଲା । ସବୁ ଜାଗାରେ ବିଜେପିର ଉଦ୍ୟମକୁ ପ୍ରତିରୋଧ କରିଥିଲେ ପୋଲିସ କର୍ମୀ । ଯୋଜନା ଫଳପ୍ରଦ ନ ହେବା ପରେ ଉତକ୍ଷିପ୍ତ ହୋଇ ଥିଲେ ବିଜେପି ଯୁବ ମୋର୍ଚ୍ଚା ।
ପୋଲିସକୁ ସବୁଆଡ଼ୁ ଟେକା ପଥର ମାଡ଼ କରିଥିଲେ । ବିଶୃଙ୍ଖଳିତ ବିଜେପି କର୍ମୀଙ୍କୁ ପୋଲିସ ଲୋୟର ପିଏମଜିରୁ ମାଷ୍ଟର କ୍ୟାଂଟିନ ପର୍ଯ୍ୟନ୍ତ ଘଉଡ଼ାଇଥିଲା । ହେଲେ ରାସ୍ତାର ଦୁଇ କଡ଼ରେ ଲୁଚି ରହିଥିବା ବିଜେପି କର୍ମୀ ପୋଲିସ ଗାଡ଼ି ଉପରକୁ ଟେକା ମାଡ଼ କରିବାରୁ ୭ଟି ପୋଲିସ ଗାଡ଼ି ଭାଙ୍ଗି ଯାଇଛି ।