ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବାଲାଷ୍ଟିକ କ୍ଷପଣାସ୍ତ୍ର ପ୍ରହାରର ସଫଳ ପରୀକ୍ଷଣ

ବାଲେଶ୍ୱର,(ଏସ୍‌.ନ୍ୟୁଜ): ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପୁଣି ତାର ଦକ୍ଷତା ପ୍ରତିପାଦନ କରିଛି । ନିଜସ୍ୱ ଜ୍ଞାନକୌଳରେ ପ୍ରସ୍ତୁତ ସର୍ଟ ରେଞ୍ଜ, ସଲିଡ୍‌ ପ୍ରୋପେଲାଂଟ, ରୋଡ୍‌-ମୋବାଇଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌ ପ୍ରହାରର ସଫଳତାର ସହ ପରୀକ୍ଷଣ କରିଛି ଭାରତ । ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ୩ ନମ୍ବର ଲଂଚପ୍ୟାଡରୁ ଅପରାହ୍ଣ ୩ଟା ୯ଟାରେ ପ୍ରହାରର ଏହି ଉତକ୍ଷେପଣ ହୋଇଥିଲା । ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ପ୍ରହାର ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।

ପ୍ରହାର କ୍ଷେପଣାସ୍ତ୍ରକୁ ପ୍ରଥମଥର ପାଇଁ ୨୦୧୧ ଜୁଲାଇ ୨୧ ତାରିଖରେ ଓ ଦ୍ୱିତୀୟଥର ୨୦୧୮ ମସିହା ସେପ୍‌ଟେମ୍ବର ୨୦ ତାରିଖରେ ପରୀକ୍ଷା କରାଯାଇଥିଲା । ଉଭୟ ପରୀକ୍ଷା ସଫଳ ହୋଇଥିଲା । ପ୍ରହାର ଟାର୍ଗେଟ୍‌କୁ ୧୦ ମିଟର ଦୂରତା ମଧ୍ୟରେ ହିଟ୍‌ କରିବାରେ ସକ୍ଷମ ହୋଇଥିଲା । ମିସାଇଲର ଲମ୍ବ ୭.୩୨ ମିଟର ଥିବା ବେଳେ ଓଜନ ୧୨୮୦ କିଲୋଗ୍ରାମ୍‌ ।

ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତିକରି ୧୫୦ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟକୁ ନଷ୍ଟ କରିବାର କ୍ଷମତା ରଖିଛି । ପ୍ରହାର’ କ୍ଷେପଣାସ୍ତ୍ରରେ ୨୦୦ରୁ ୫୦୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.