ଭୁବନେଶ୍ୱର,(ଏସ୍.ନ୍ୟୁଜ): ଏକ ଲଘୁଚାପ ପ୍ରଭାବରେ ପୁଣି ଏକ ବାତ୍ୟା ଆଶଙ୍କା ସମସ୍ତଙ୍କୁ ସଙ୍କଟରେ ପକାଇଛି । ଲଘୁଚାପ ଘନୀଭୂତ ହୋଇ ଏହା ଶେଷରେ ଅବପାତରେ ପରିଣତ ହୋଇଛି ଏବଂ ଏହା କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ବାତ୍ୟାର ରୂପ ନେବ ଲଘୁଚାପ । ଫଳରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଏହି ବାତ୍ୟାର ନାମ ଜୱାଦ ରଖା ଯାଇଥିବା ବେଳେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତାକାଲିଠୁ ବର୍ଷା ହେବ ବୋଲି ଯେଉଁ ପୂର୍ବରୁ ଆକଳନ କରାଯାଉଥିଲା ତାହା ସତ୍ୟରେ ପରିଣତ ହୋଇଛି । ଆସନ୍ତା କାଲିଠୁ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖ ସକାଳେ ଜୱାଦ ଉତର ଆନ୍ଧ୍ର-ଓଡିଶା ଉପକୂଳରେ ଭୂମିସ୍ପର୍ଶ ବା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।
ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି । କାଲି ଉପକୂଳ ଓଡ଼ିଶାରେ ଘଂଟ।।ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ । ୪ ତାରିଖ ବେଳକୁ ଘଂଟାପ୍ରତି ୭୦ରୁ ୮୦ ଏବଂ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଅାଂଚଳିକ ବିଜ୍ଞାନ ପାଣିପାଗ କେନ୍ଦ୍ର ।
ଏହି ବାତ୍ୟାରେ କଚ୍ଚ।।ଘର ଭାଙ୍ଗିବା ସହ ମାଟିରାସ୍ତା ଧୋଇଯିବ । ବାତ୍ୟା ପ୍ରଭାବରେ ହେବାକୁ ଥିବା ଲଗାଣ ବର୍ଷା ସହରାଂଚଳରେ କୃତ୍ରିମ ବନ୍ୟା ସୃଷ୍ଟି କରିବ । ଏଥିପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟର ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ୭ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସାମ୍ଭାବ୍ୟ ବାତ୍ୟା ଉପରେ ନଜର ରଖି ସବୁ ବନ୍ଦରରେ ବିପଦ ସଙ୍କେତ ୩ କିମ୍ବା ୪ ଦିଆଯିବ । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଚାଷୀମାନେ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ବିଲରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।