ଋଣ କରାଇ ଦେବା ନାଁରେ ୪ କୋଟି ଠକେଇ , ଜଣେ ଗିରଫ

ବ୍ରହ୍ମପୁର,(ଏସ୍‌.ନ୍ୟୁଜ): ଜାଲିଆତି କରି ଟଙ୍କା କମାଇବା ମହଙ୍ଗା ପଡିଛି ଜଣେ ବ୍ରୋକରଙ୍କୁ । ବ୍ୟାଙ୍କ ଋଣ କରିଦେବାକୁ କହି ୪ କୋଟି ଟଙ୍କା ଉକ୍ତ ବ୍ୟକ୍ତି ଜଣକ ଠକେଇ କରିଥିବା ଜଣାପଡିଛି । ଏ ନେଇ ପୋଲିସରେ ଅଭିଯୋଗ ମଧ୍ୟ ହୋଇଛି । ଋଣ କରାଇ ଦେବା ନାଁରେ ବ୍ୟାଙ୍କ ମ୍ୟାନେଜର ସହ ମିଶି ୪ କୋଟି ଟଙ୍କା ଠକେଇ ଅଭିଯୋଗ ମାମଲା ସାମନାକୁ ଆସିଛି । ଏହି ମାମଲାରେ ବ୍ରହ୍ମପୁର ରାମନଗର ଅଂଚଳର ଗୁପ୍ତେଶ୍ୱର ପଟ୍ଟନାୟକଙ୍କୁ ଗିରଫ କରିଛି ବଡ଼ ବଜାର ଥାନା ପୋଲିସ । ରାମନଗର ଅଂଚଳର ସୁଧାଂଶୁ ଶେଖର ପାଢ଼ୀ ପ୍ରଥମେ ପର୍ସନାଲ ଲୋନ୍‌ ଓ ପରେ ହାଉସ୍‌ ଲୋନ୍‌ ପାଇଁ ୟୁନିୟନ ବ୍ୟାଙ୍କ ମ୍ୟାନେଜର ଗୋପାଳ ଜେନାଙ୍କ ସହ ସାକ୍ଷାତ କରିଥିଲେ । ଗୋପାଳ ଜେନା ଓ ଏଜେଂଟ ଗୁପ୍ତେଶ୍ୱର ମିଶି ପ୍ରଥମେ ୧୦ ଲକ୍ଷ ଟଙ୍କା ଲୋନ୍‌ କରାଇଥିଲେ ।

ପରେ ସୁଧାଂଶୁଙ୍କୁ ନଜଣାଇ ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ଏ ନେଇ ସୁଧାଂଶୁ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଦୁହେଁ ମିଶି ୨୦ରୁ ୨୫ ଜଣ ଲୋକଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଇଥିବା ପୋଲିସ ଜାଣିବାକୁ ପାଇଥିଲା । ଗୁପ୍ତେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ପାଇଁ ତାଙ୍କୁ ୫ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଏସଡିପିଓ କହିଛନ୍ତି ।

Leave A Reply

Your email address will not be published.