ଫୋର୍ବସ ପାୱାରଫୁଲ ୱିମେନ୍‌ ତାଲିକାରେ ସୁନ୍ଦରଗଡ଼ର ଆଶା ଦିଦି ମାତିଲଦା କୁଲ୍ଲୁ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଆଜି ରାଜ୍ୟର ମହିଳା ମାନେ ନାନା କ୍ଷେତ୍ରରେ ଉନ୍ନତି ସାଧିତ ହେଉଛନ୍ତି । ସେ କ୍ରୀଡା କ୍ଷେତ୍ରରେ ହେଉ ଅବା ଚାଷ କିମ୍ବା କୃଷି । ସବୁ କ୍ଷେତ୍ରରେ ରାଜ୍ୟର ମହିଳା ମାନେ ଆଗକୁ ପାଦ ବଢ଼ାଇ ନିଜର ଉନ୍ନତି କରିବା ସହିତ ରାଜ୍ୟର ସମୃଦ୍ଧି ଆଣିଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ଆଶା । ଏହି ପରିପ୍ରେକ୍ଷୀରେ ଫୋର୍ବସ ଇଣ୍ଡିଆ ପକ୍ଷରୁ ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଛି ପାୱାରଫୁଲ ୱିମେନ୍‌ଙ୍କ ତାଲିକା । ଆଉ ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ଆଶା ଦିଦି ମାତିଲଦା କୁଲ୍ଲୁ ।

ସୁନ୍ଦରଗଡ଼ ଜିଲ୍ଲାର ବାରାଗାଁ ତହସିଲ ଅନ୍ତର୍ଗତ ଗୋରଗାଡ଼ବାହାଲ ଗାଁର ମହିଳା ମାତିଲଦା କୁଲ୍ଲୁ ଆଶା ଦିଦି ଭାବେ କାର୍ଯ୍ୟ କରୁଛନ୍ତି । ସେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଫୋର୍ବସ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ସେ ସକାଳ ୫ ଟାରୁ ଘରୁ ଉଠି ନିଜ ଘରର ସମସ୍ତ କାମ ଶେଷ କରି ପ୍ରତିଟି ଲୋକଙ୍କ ପାଖକୁ ପହଂଚନ୍ତି । ସ୍ୱାସ୍ଥ୍ୟ ସେବା ବିଷୟରେ ଲୋକଙ୍କୁ ସଚେତନ କରନ୍ତି ।

ଅନ୍ଧବିଶ୍ୱାସ, ଜାତିବାଦ ଏବଂ ଅସ୍ପୃଶ୍ୟତା ଭଳି ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ୪୫ ବର୍ଷୀୟା ମାତିଲଦା କୁଲ୍ଲୁ । ସେ ଗ୍ରାମାଂଚଳରେ ଗୁଣିଗାରେଡି ରୋକିବା ସହ ଲୋକଙ୍କୁ ମେଡିକାଲ ସୁବିଧା ବିଷୟରେ ସଚେତନ କରିଛନ୍ତି । ଲୋକଙ୍କୁ ଔଷଧ ସହ ମେଡାକାଲ ବିଷୟରେ ଶିକ୍ଷା ଦେଇଥିଲେ । କୋଭିଡ -୧୯ ଆରମ୍ଭରୁ କୁଲ୍ଲୁ କାର୍ଯ୍ୟ କରିଆସୁଛନ୍ତି । ସେ ମାସିକ ୪୫୦୦ ଟଙ୍କା ଦରମାରେ ଗାଁର ପ୍ରାୟ ୯୪୬ ଲୋକଙ୍କୁ ସେବାଯୋଗାଇ ଆସୁଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତିଲଦା କୁଲୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ, ସେ କୋଭିଡ ଯୁଦ୍ଧରେ ସମର୍ପିତ ହଜାର ହଜାର କୋଭିଡ ଯୋଦ୍ଧାଙ୍କ ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି ।

Leave A Reply

Your email address will not be published.