ପଖାଳରେ ଅଛି ଇମ୍ୟୁନିଟି ବୁଷ୍ଟ ପାୱାର, କୋଭିଡ ବିରୋଧରେ ସୃଷ୍ଟି କରୁଛି ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ଓଡ଼ିଆଙ୍କ ଖାଦ୍ୟ ପଖାଳରେ ଅଛି ପ୍ରଚୁର ରୋଗ ପ୍ରତିରୋଧକ ଶକ୍ତି । ପଖାଳ ସହିତ ତୋରାଣିରେ ବି ରହିଛି ଇମ୍ୟୁନିଟି ବୁଷ୍ଟ ପାୱାର । ଯାହା କରୋନା ଭଳି ମହାମାରୀରେ କମାଲ କରିବାର କ୍ଷମତା ରଖିଛି । ଭୁବନେଶ୍ବର ଏମ୍‌ସ୍‌ର ଏକ ରିସର୍ଚ୍ଚ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ପଖାଳ ଦେହ ହାତ ବ୍ୟଥାକୁ ଦୂର କରିଥାଏ ବୋଲି ଜଣା ପଡିଛି । ତୋରାଣିରେ ଥିବା ପ୍ରଚୁର ପରିମାଣର ଲ୍ୟାକ୍ଟୋ-ବାସିଲସ୍ ଶରୀରର ଫୁସ୍‌ଫୁସ୍ ଓ ଅନ୍ତଃନଳୀକୁ ସଂକ୍ରମଣରୁ ରୋକିଥାଏ । ସ୍ମଲ-ଚେନ୍ ଫ୍ୟାଟି-ଏସିଡରେ ମଧ୍ୟ ଆଂଟି-ଭାଇରାଲ ଶକ୍ତି ଥାଏ, ଯାହା ଶରୀରର ବିଭିନ୍ନ ଅଂଶକୁ ଅଧିକ ଚଳଚଂଚଳ କରିଥାଏ ।

ପଖାଳ ଖାଅ ଫିଟ୍ ରୁହ । ପ୍ରତିଟି ଓଡ଼ିଆ ଘରର ପ୍ରିୟ ଖାଦ୍ୟ ପଖାଳ । ଗଣ୍ଡେ ପଖାଳ ଆଉ ମୁନ୍ଦେ ତୋରାଣି ମନକୁ ଦେଇଥାଏ ଶାନ୍ତି । ଏହି ସ୍ବତନ୍ତ୍ର ଖାଦ୍ୟ ପାଇଁ ମାର୍ଚ୍ଚ ୧୯ରେ ପଖାଳ ଦିବସ ମଧ୍ୟ ପାଳନ କରାଯାଏ । ହେଲେ ଏହି ପଖାଳ ଯେ ମଣିଷ ପାଇଁ ଏତେ ହିତକାରକ , ତାହା ଅଲ୍ ଇଣ୍ଡିଆ ଇନ୍‌ଷ୍‌ଟିଚ୍ୟୁଟ ଅଫ୍ ମେଡ଼ିକାଲ୍ ସାଇନ୍ସ ବା ଏମସର ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ବାସି ପଖାଳରେ ବଡ଼ ଶକ୍ତି ରହିଛି ବୋଲି ଏହି ରିପୋର୍ଟ କହୁଛି । ପଖାଳର ଏହି ତୋରାଣିରେ ସଟ୍-ଚେନ୍ ଫ୍ୟାଟି-ଏସିଡ଼୍ ପ୍ରଚୁର ମାତ୍ରାରେ ଥାଏ । ଯାହା ଶରୀରର ରୋଗ ପ୍ରତିଶୋଧକ ଶକ୍ତି ବଢାଇ ଥାଏ । ଏମସ୍‌ର ମାଇକ୍ରୋ ବାୟୋଲୋଜି ବିଭାଗର ମୁଖ୍ୟ ଡକ୍ଟର ବାଲା ମୁରୁଗାନ୍ ରାମଦାସଙ୍କ ନେତୃତ୍ବରେ ଏକ ୨୦ ଜଣିଆ ଟିମ୍ ପଖାଳ ଉପରେ ରିସର୍ଚ୍ଚ କରିଥିଲେ ।

ପଖାଳ ଓଡ଼ିଶାରେ ଖୁବ୍ ପରିଚିତ ଥିଲେ ବି ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଏହାକୁ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରୁ ପଖାଳର ନମୁନା ସଂଗ୍ରହ କରାଯାଇ ରିସର୍ଚ୍ଚ ହୋଇଛି । ତୋରାଣିରେ ଥିବା ଲ୍ୟାକ୍ଟୋ-ବାସିଲସ୍ ବିଭନ୍ନ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ । ବିଶେଷ କରି ଫୁସଫୁସ୍ ଓ ଅନ୍ତନଳିରେ ସଂକ୍ରମଣ ରୋକିବାରେ ଏହା ଅଧିକ କାମ ଦିଏ । କେବଳ ସେତିକି ନୁହଁ ଗର୍ଭବତୀଙ୍କ ପାଇଁ ମଧ୍ୟ ଏହା ଅଧିକ ଲାଭଦାୟକ । ରିସର୍ଚ୍ଚ କରିଥିବା ଡାକ୍ତର ମଧ୍ୟ ପ୍ରତିଦିନ ଅଧ ଲିଟର ତୋରାଣି ପିଅନ୍ତି । ଏହା ଅଧିକ ଶକ୍ତି ଦିଏ ବୋଲି କହିଛନ୍ତି ।

Leave A Reply

Your email address will not be published.