ଝାରସୁଗୁଡ଼ା,(ଏସ୍ଏନ୍ୟୁଜ): କରୋନା ଯୁଦ୍ଧରେ ହାରିଗଲେ ଯୁବ ପୁଲିସ ଅଧିକାରୀ ରାଜକିଶୋର ସାମଦ( ୩୯)। ଆଜି ଦିନ ପ୍ରାୟ ୧୧.୪୫ରେ ଝାରସୁଗୁଡ଼ା କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ସ୍ବର୍ଗତ ସାମଦ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନାରେ ଏସ୍ଆଇ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରୁଥିଲେ। ଗତ ମାର୍ଚ୍ଚ ମାସରୁ ସେ କୋଭିଡ୍ ଯୁଦ୍ଧରେ ନିଜକୁ ନିୟୋଜିତ କରି ଜନସେବାରେ ଥିଲେ। ଗତ ଅଗଷ୍ଟ ୧୭ ତାରିଖ ଦିନ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମଧୁମେହ ଥିବା ଜଣା ପଡ଼ିଥିଲା। ଉକ୍ତ ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ସମାନ ସମୟରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ କାର୍ଯ୍ୟକୁ ଫେରିଥିବା ବେଳେ ସାମଦଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରେ ଲାଗିଥିଲା। ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇଥିବା ବେଳେ ହସପିଟାଲରେ ପ୍ଲାଜ୍ମା ଥେରାପି ମଧ୍ୟ ଦିଆଯାଇଥିଲା। ଗତ କିଛି ଦିନ ହେଲା ତାଙ୍କୁ ଆଇସିୟୁରେ ରଖାଯାଇଥିଲା।
କିନ୍ତୁ ଆଜି ସେ କରୋନା ଯୁଦ୍ଧରେ ହାରିଗଲେ। ତାଙ୍କ ପରଲୋକ ଖବର ପାଇ ଜିଲ୍ଲା ପୁଲିସ୍ ମହଲରେ ଶୋକର ଛାୟା ଖେଳିଯାଇଛି। ଅପରାହ୍ଣରେ ଏଚ୍. କଟାପାଲି ନିକଟ ଶ୍ମଶାନରେ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ତାଙ୍କା ଶେଷକୃତ୍ୟ କରାଯାଇଥିଲା। ତାଙ୍କ ମା, ପତ୍ନୀ ଓ ଏକ ୩ ବର୍ଷର ଝିଅ ସେଠାରେ ଶେଷ ଦର୍ଶନ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ, ଏସ୍ପି ରାହୁଲ ପିଆର୍, ଏଡିଏମ୍ ପ୍ରଦୀପ ସାହୁ, ଏସ୍ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ଅମିତାଭ ପଣ୍ଡାଙ୍କ ସହ ବହୁ ପଦସ୍ଥ ପୁଲିସ ଅଧିକାରୀ ଅନ୍ତ୍ୟେଷ୍ଟି କ୍ରିୟାରେ ଉପସ୍ଥିତ ଥିଲେ। ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଏହି କୋଭିଡ୍ ଯୋଦ୍ଧାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ସ୍ବର୍ଗତ ସାମଦଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ମହିଷକୁଦର ଗ୍ରାମରେ।