୨୦୦ ଶଯ୍ୟା ଓ ୩୯ ଆଇସିୟୁ
କଟକ (ଏସ୍ଏନ୍ୟୁଜ): ଚଳିତମାସ ୨୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏସ୍ସିବି କୋଭିଡ୍ ହସ୍ପିଟାଲ। ଏଥିପାଇଁ କେନ୍ଦ୍ରାଞ୍ଚଳ ଆରିଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ହସ୍ପିଟାଲରେ ଚିକିତ୍ସିତ ସଂକ୍ରମିତଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସେମାନଙ୍କ ସଂପର୍କୀୟଙ୍କୁ ସୂଚନା ପ୍ରଦାନ ପାଇଁ ଏସ୍ସିବିରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ। ଏଥିପାଇଁ ଏକ ଫୋନ ନମ୍ବର ଜାରି କରାଯିବ। ଡାକ୍ତରଙ୍କ କ୍ବାରାଣ୍ଟିନ୍ ରହିବା ବ୍ୟବସ୍ଥା ସିଏମ୍ସି ପକ୍ଷରୁ କରାଯିବା ସହ ହାଉସ୍ ସର୍ଜନ ଓ ପିଜି ଡାକ୍ତରଙ୍କୁ କୋଭିଡ୍ ହସ୍ପିଟାଲ ଦାୟିତ୍ବରେ ରଖାଯିବ। ଶୁକ୍ରବାରଠାରୁ ନ୍ୟୁ ମେଡିସିନ୍ ବିଭାଗରୁ ରୋଗୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବା ସହ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ତଥା କୋଭିଡ୍ ତାଲିମ୍ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କୁ କୋଭିଡ୍ ହସ୍ପିଟାଲର ନୋଡାଲ ଅଧିକାରୀଭାବେ ଦାୟିତ୍ବ ଦିଆଯିବ।
ଏସ୍ସିବିରେ ସରକାରଙ୍କ ଅନୁମୋଦିତ ୨୦୦ ଶଯ୍ୟା ଓ ୩୯ ଆଇସିୟୁ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିଶନର ଅନନ୍ୟା ଦାସ, ଏସ୍ସିବି ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଶାନ୍ତ ନନ୍ଦ, କୋଭିଡ୍ ନୋଡାଲ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, କୋଭିଡ୍ ତାଲିମ୍ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ଆରଏଣ୍ଡବିର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସାମଲ, ପିଏଚ୍ଡିର ନିର୍ବାହୀ ଯନ୍ତ୍ରୀ ଇଂ ସୁଶାନ୍ତ କୁମାର ଘଡେଇଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କିପରି ଏହି କୋଭିଡ୍ ହସ୍ପିଟାଲର ଭିତ୍ତିଭୂମିର ବିକାଶ ଓ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ସେଥିପାଇଁ ଆର୍ଏଣ୍ଡବି, ପିଏଚ୍ଡି ଓ ଏସ୍ସିବିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପିଏଚ୍ଡି ଓ ପିଡବ୍ଲୁଡି ବିଭାଗ ୭ଦିନ ଭିତରେ ସମସ୍ତ କାର୍ଯ୍ୟ ସାରିବା ପାଇଁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ତା’ ସହିତ ଜଣେ ପ୍ରଫେସର ଏହି କୋଭିଡ୍ ହସ୍ପିଟାଲ ଦାୟିତ୍ବରେ ରହିବେ ଓ ତାଙ୍କୁ ୪ ଜଣ ଡାକ୍ତର ସହାୟତା କରିବେ। ଆବଶ୍ୟକ ଷ୍ଟାଫ୍ ନର୍ସ, ଟେକ୍ନିକାଲ, ନନ୍ ଟେକ୍ନିକାଲ, ସୁରକ୍ଷା କର୍ମୀ ଓ ଆବଶ୍ୟକ ଅନ୍ୟ କର୍ମଚାରୀଙ୍କ ବ୍ୟବସ୍ଥା କରିବେ ଏସ୍ସିବି ପ୍ରଶାସନିକ ଅଧିକାରୀ। କୋଭିଡ୍ ହସ୍ପିଟାଲ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାର ଏକ ବଜେଟ୍ ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଗୋଟିଏ ଏଣ୍ଟ୍ରି ଗେଟ୍, ପାର୍କିଂ ଓ ଅନ୍ୟ ସୂଚନା ପାଇଁ ସାଇନେଜ୍ ପ୍ରସ୍ତୁତ କରିବାକୁ ଆରଏଣ୍ଡବିକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ହସ୍ପିଟାଲ ପାଖରେ ଗୋଟିଏ ପୁଲିସ ଟେଣ୍ଟ ରହିବ। ଯେଉଁଠି ୧୫ଜଣ ପୁଲିସ କର୍ମଚାରୀ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁତୟନ ରହିବେ। ସେମାନେ ଉଭୟ କୋଭିଡ୍ ହସ୍ପିଟାଲ ଓ ଓ ଆଇସୋଲେସନ୍ ୱାର୍ଡ କଥା ଦେଖିବେ।
କିପରି ମୃତକଙ୍କ ଶରୀରରୁ ତୁରନ୍ତ ସତ୍କାର କରାଯିବ ସେଥିପାଇଁ ସିଏମ୍ସି ପକ୍ଷରୁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଆରଡିସି କମିସନରଙ୍କୁ ପରାମର୍ଶ ଦେଇଛନ୍ତି। ନର୍ସିଂ ଟ୍ରେନିଂ ସ୍କୁଲ(ଏସ୍ସିବି ମେଡିକାଲ କ୍ୟାମ୍ପସ)ରେ ଥିବା ହଷ୍ଟେଲରେ ଡାକ୍ତରଙ୍କ କ୍ବାରାଣ୍ଟିନ ରହିବା ବ୍ୟବସ୍ଥା କରିବା ସହ ସିଏମ୍ସି ପକ୍ଷରୁ ଡାକ୍ତରଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥାତ୍ ଚଳିତମାସ ୨୧ ତାରିଖ ସୁଦ୍ଧା ସବୁ ବିଭାଗକୁ ଦିଆଯାଇଥିବା କାର୍ଯ୍ୟ ସେମାନେ ସଂପୂର୍ଣ୍ଣ କରିବେ ବୋଲି ଆରଡିସି ଆଶା ବ୍ୟକ୍ତ କରିଛନ୍ତି।