ଅନଲାକ-୦୪ : ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ଅନଲକ୍‌ ୪ ନେଇ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍‌ ସେପ୍‌ଟେମ୍ବର ୧ ତାରିଖରୁ ସେପ୍‌ଟେମ୍ବର ୩୦ ଯାଏଁ ବୈଧ ରହିବ । ଏହି ସମୟରେ ପୂର୍ବଭଳି କଂଟେନମେଂଟ ଜୋନରେ ଲକଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କଂଟେନମେଂଟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଲକଡାଉନ୍‌ କିମ୍ବା ସଟଡାଉନ୍‌ ଲାଗୁ ହେବ ନାହିଁ । ତେବେ, କଂଟେନମେଂଟ ଜୋନରେ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦିଆଯିବ ।

ରାଜ୍ୟ ମଧ୍ୟରେ ବସ୍‌ ଚଳାଚଳ କରିବ । ଏଥିସହ ଆନ୍ତଃରାଜ୍ୟ ବସ୍‌ ଚଳାଚଳକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । କୌଣସି ସ୍ଥାନରେ ସାପ୍ତାହିକ ସଟଡାଉନ୍‌ ମଧ୍ୟ ହେବନାହିଁ । ତେବେ ରାଜ୍ୟରେ ପୂର୍ବଭଳି ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି କ୍ରମେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ ।

ପୂର୍ବଭଳି ସିନେମା ହଲ୍‌, ସୁଇମିଂ ପୁଲ୍‌, ସିନେମା ହଲ୍‌, ଥିଏଟର, ଅଡିଟୋରିୟମ ବନ୍ଦ ରହିବ । ସେପ୍‌ଟେମ୍ବର ୨୧ରୁ ଓପନ୍‌ ଏୟାର ଥିଏଟର ଚାଲିବ । ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ କିମ୍ବା ଅନ୍ୟ କୌଣସି ସଭା ସମିତି ହୋଇ ପାରିବ ନାହିଁ । ପୂଜା ପାଇଁ ଅକ୍ଟୋବର ମାସ ଯାଏ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତେବେ, ସେପ୍‌ଟେମ୍ବର ୨୧ରୁ ଅନଲାଇନ୍‌ ପାଠ ପଢ଼ାଇବା ପାଇଁ ୫୦ ପ୍ରତିଶତ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଯାଇ ପାରିବେ ।

ସମସ୍ତ ସରକାରୀ, ବେସରକାରୀ ଅଫିସରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍‌ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ୍‌ ହୋଇପାରିବେ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ । ଜରୁରୀ ସେବା ପ୍ରଦାନ କରୁଥିବା ସଂସ୍ଥାରେ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ ।

Leave A Reply

Your email address will not be published.