ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ଖୋଲିଲା ୪୪ଟି ଗେଟ, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ବନ୍ୟା ପରିସ୍ଥିତି

ଭୁବନେଶ୍ୱର(ଏସ୍‌ଏନ୍ୟୁଜ): ରାଜ୍ୟରେ ଲଗାଣ ବର୍ଷା ଏବେ କମିଛି । କିନ୍ତୁ ଜଟିଳ ହେବାରେ ଲାଗିଛି ବନ୍ୟା ସ୍ଥିତି । ସେପଟେ ଉପର ମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ହୀରାକୁଦର ୪୪ଟି ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ବାମପାର୍ଶ୍ୱରୁ ୨୯ଟି ଗେଟ୍‌‌ ଖୋଲାଯାଇଥିବା ବେଳେ ଦକ୍ଷିଣ ପାର୍ଶ୍ୱର ୧୫ଟି ଗେଟ ଖୋଲିଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୮ ହଜାର ୫ଶହ ୮୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୬ ଲକ୍ଷ ୯୪ ହଜାର ୨ଶହ ୨୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍‌ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୨୬ ଦଶମିକ ୦୮ ଫୁଟ ରହିଛି । ସେପଟେ ନଦୀବନ୍ଧର ତଲମୁଣ୍ଡରେ ଥିବା ମୁଣ୍ଡୁଳିରେ ୮ ଲକ୍ଷ ୬୫ ହଜାର ୪ଶହ ୭୪ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ସେହିଭଳି ବୈତରଣୀରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଉପର ମୁଣ୍ଡର ପାଣି ଖସୁଥିବା ବେଳେ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ଦୁର୍ଦ୍ଧଶା ଦ୍ୱିଗୁଣିତ ହୋଇଛି । ଆଖୁଆପଦା ଠାରେ ବୈତରଣୀର ଜଳସ୍ତର ୧୮.୧୬ ମିଟର ଥିବା ବେଳେ ଏଠାରେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର । ଯଦି ଦେଖିବା ଭଦ୍ରକ ଜିଲ୍ଲା ର ମୁଖ୍ୟତଃ ୪ ଟି ବ୍ଲକ ବନ୍ୟାରେ ବେଶ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ତଳି ଅଞ୍ଚଳରେ ବନ୍ୟା ପାଣି ପଶି ଅନେକ କ୍ଷୟକ୍ଷତି ହୋଇଛି । ବୈତରଣୀରେ ଉପର ମୁଣ୍ଡରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ତଳ ମୁଣ୍ଡରେ ବନ୍ୟା ର ବିଭୀଷିକା ଦେଖିବାକୁ ମିଳିଛି । ଧାମନଗର ବ୍ଲକ ର ହସନାବାଦ, ସୋହଡା, ନଦିଗାଁ, କରଦା, ଦିହୁଡ଼ି ଆନନ୍ଦପୁର, ୋବଲ, ବୟାଙ୍ଗଡିହ, କୋଠାର, ଅସୁରାଳି ସମେତ ଆହୁରି ଅନେକ ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି. ଭଣ୍ଡାରିପୋଖରୀ ବ୍ଲକ ରେ ବନ୍ୟା ଜଳ ହ୍ରାସ ପାଇଛି ସତ କିନ୍ତୁ ଏବେ ବି ଅନେକ ଲୋକ ପାଣି ଘେରରେ ଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ବ୍ଲକ ର ବାଲି ପୋଖରୀ, ଷୋଳମପୁର, କୂରିଗାଁ, ରହଣିଆ, ମାଳଦା ସହ ଅନେକ ପଞ୍ଚାୟତ ରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଲୋକ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ତିହିଡି ବ୍ଲକ ର ବନ୍ୟା ରେ କାଁ ପଡ଼ା, ବିଲଣା, ବାରୋ ସମେତ ଅନେକ ପଞ୍ଚାୟତ ର ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଫସି ରହିଛନ୍ତି । ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶମ ବାହିନୀ ବନ୍ୟା ଘେରରୁ ଯୁଦ୍ଧ କାଳୀନ ଭିତ୍ତିରେ ଲୋକ ମାନଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇଛି । ଏବେବି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ରହିଛି ।

ସେପଟେ କଟକ ବଡମ୍ବାର ମାଆ ଭଟ୍ଟାରିକାଙ୍କ ପୀଠରେ ପଶିଛି ମହାନଦୀର ବନ୍ୟାଜଳ । ହୀରକୁଦରୁ ବନ୍ୟାଜଳ ଛଡାଯିବା ପରେ ମନ୍ଦିରର ଗର୍ଭ ଗୃହରେ ପାଣି ପଶିଛି । ମନ୍ଦିର ଭିତରେ ୭ ଫୁଟ ଉଚ୍‌ଚର ବନ୍ୟାଜଳ ପ୍ରବାହିତ ହେଉଛି । ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ସମସ୍ତ କବାଟ ଖୋଲିଦିଆଯାଇଛି । ମନ୍ଦିର ପାଖରେ ଥିବା ଯଜ୍ଞ ମଣ୍ଡପ ଠାରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଅନୁମାନ କରାଯାଉଛି । ସେପଟେ ମାଆଙ୍କ ନୀତିକାନ୍ତିରେ ଯେପରି ବାଧା ନହୁଏ ସେଥିପାଇଁ ରତ୍ନଗିରି ପାହାଡ଼ରେ ଥିବା ମାଆଙ୍କ ଆଶ୍ରୟସ୍ଥଳୀକୁ ମାଆଙ୍କ ଚଳନ୍ତି ବିଗ୍ରହ ସ୍ଥାନାନ୍ତର କରାଯାଇଛି ।

ଆରଡି ଓ ଚାନ୍ଦବାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତାହାସହ ୯ ପଞ୍ଚାୟତର ୩୦ଖଣ୍ଡ ଗାଁକୁ ବନ୍ୟାପାଣି ପ୍ରବେଶ କରିଛି । ବିଶେଷକରି ଆରଡି ସମେ ମୁଆଁ, ସନ୍ତରା, ଶୀତଳପୁର, ସିଙ୍ଗିପୁର ଆଦି ଗାଁ ସମ୍ପୁର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଯାଇଛି । ସେହିପରି ବନ୍ୟାଜଳ ଆଖଣ୍ଡଳମଣିଙ୍କ ଦକ୍ଷିଣ ଦ୍ୱାର ସମୁଖରେ ଆଣ୍ଠୁଏ ଉଚ୍‌ଚରୁ ଲହଡି ମାରୁଥିବା ବେଳେ ବହୁ ସ୍ଥାନରେ କଚାଘର ଓ ପକାଘରେ ପାଣି ପଶିଛି । ଫଳରେ ବିପନ୍ନଙ୍କ ଦୁର୍‌ଦଶା ବଢିଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ବେଣିପୁର ପଞ୍ଚାୟତର ୫ଟି ପଞ୍ଚାୟତରେ ତାଣ୍ଡବ ରଚିଛି ମହାନଦୀର ଶାଖା ନଦୀ ବିରୁପାର ବନ୍ୟା ଜଳ । ଗତକାଲି ସଂନ୍ଧ୍ୟା ୬ଟା ସମୟରେ ବେଣିପୁର ଠାରେ ଥିବା ବିରୁପା ନଦୀର ନଦୀ ବନ୍ଧରେ ୬୦ ଫୁଟ୍‌ ଲମ୍ବର ଘାଇ ସୃଷ୍ଟି ହୋଇ ୬ ଟି ୱାର୍ଡରେ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.