ଚଳନ୍ତା କାର୍‌ରେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର,(ଏସଏ ନ୍ୟୁଜ): ଆଇନ୍‌ ସହାୟତା ନାଁରେ ଜଣେ ବ୍ୟକ୍ତି ଅସହାୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଗୁରୁବାର ଦିନ ମହିଳା ଥାନା ପୁଲିସର ଆଶ୍ରୟ ନେଇଛନ୍ତି । ସଂପୃକ୍ତ ବ୍ୟକ୍ତି ମହିଳାଙ୍କୁ ସହର ବୁଲାଇବା ବାହାନାରେ କାର୍‌ଭିତରେ ଦୁଷ୍କର୍ମ କରିଥିବା ଏତଲା ଦିଆଯାଇଛି ।

ଅଭିଯୋଗ ମୁତାବକ, ମହିଳାଙ୍କ ପୈତୃକ ଘର ଲିଙ୍ଗିପୁରରେ । ୨୦୧୦ ମସିହାରେ ଧଉଳି ଥାନା ଅଧୀନ ସରଦେଇପୁର ଗାଁରେ ତାଙ୍କର ବିବାହ ହୋଇଥିଲା । ୨୦୧୮ ମାର୍ଚ୍ଚରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୂଘର ଲୋକଙ୍କ ଅତ୍ୟାଚାର ସହି ନପାରି ସେ ଲିଙ୍ଗିପୁରସ୍ଥିତ ବାପା ଘରକୁ ପଳାଇ ଆସିଥିଲେ । କିନ୍ତୁ ଶାଶୂ ଘର ଲୋକଙ୍କ ନିର୍ଯାତନା ସରି ନଥିଲା । ମହିଳାଙ୍କୁ ପୁଣି ଫୁସୁଲାଇ ଶାଶୂ ଘରକୁ ନେଇ ଆସିଥିଲେ ।

ମହିଳାଙ୍କ ପୁଅକୁ ରଖି ତାଙ୍କୁ ଘରୁ ତଡ଼ି ଦେଇଥିଲେ । ଯାହାକୁ ନେଇ ସରଦେଇପୁର ଗାଁର ଜଣେ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଥିଲେ । ସମ୍ପୃକ୍ତ ବ୍ୟକ୍ତିଜଣକ ପୁଲିସ, ଓକିଲ ଚିହ୍ନା ଥିବା କହି ସମ୍ପୃକ୍ତ ମହିଳାଙ୍କ ଅସହାୟତାର ଫାଇଦା ଉଠାଇଥିଲେ । ମହିଳାଙ୍କୁ କାରରେ ବିଭିନ୍ନ ଜାଗାକୁ ବୁଲାଇ ନେଇଥିଲେ । ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିବା ସହ ତାଙ୍କୁ ରବିଟକିଜ୍‌ଛକରେ ଛାଡି଼ଦେଇ ପଳାଇଥିଲେ । ଗଲାବେଳେ ମହିଳାଙ୍କୁ ଭୁବନେଶ୍ୱର ଛାଡି ପଳାଇବାକୁ ଧମକ ଦେଇଥିଲେ । ପୁଲିସ କେସ ନମ୍ବର ୪୨/୨୦ରେ ମାମଲା ରୁଜୁ କରିଛି । ପୁଲିସ କହିଛି, ଆଜି ମହିଳାଙ୍କ ଡାକ୍ତରୀ ମାଇନା କରାଯିବ । ୧୬୪ ଧାରାରେ ଅଦାଲତରେ ମହିଳାଙ୍କ ବୟାନ ରେକର୍ଡ ହେବ । ଅଭିଯୋଗ ଅନୁସାରେ ସବୁ ଦିଗରୁ ତଦନ୍ତ ଚାଲିଛି । ପ୍ରଥମେ ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚାଲିଛି । ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.