ସବିତା-ପୂର୍ଣ୍ଣିମା ପାଇବେ ସାହସିକତା ପୁରସ୍କାର, ଜୀବନକୁ ବାଜି ଲଗାଇ ୩୫ଜଣଙ୍କୁ କରିଥିଲେ ଉଦ୍ଧାର, ନିପାଣିଆ ଡଙ୍ଗା ବୁଡିରେ ଦେବଦୂତ ସାଜିଥିଲେ ଦୁଇଭଉଣୀ

ମହାକାଳପଡ଼ା, (ଏସଏନ୍ୟୁଜ): ଦୁଇ ଭଉଣୀଙ୍କ ଅପୂର୍ବ ସାହସିକତାକୁ ସରକାରୀ ସ୍ତରରେ ମିଳିବ ବିଧିବଦ୍ଧ ସ୍ୱୀକୃତି । ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଦେବଦୂତ ସାଜି ବିପନ୍ନମାନଙ୍କୁ ଉଦ୍ଧାର କରିଥିବା ମହାକାଳପଡ଼ାର ଦୁଇ ସମ୍ପର୍କୀୟ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ୨୦୧୯ ବର୍ଷ ପାଇଁ ମିଳିବ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୨୯ ତାରିଖରେ ପାଳିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ଦିବସ ଉତ୍ସବରେ ସେମାନଙ୍କୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯିବ ।

ଆସନ୍ତା ୨୯ ତାରିଖ ଭୁବନେଶ୍ୱର ଲୋକସେବା ଭବନର ତୃତୀୟ ମହଲାରେ ଏହି ଦୁଇ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବେ । ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ସହିତ ରୁପା ପଦକ ଓ ମାନପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ । ପୂର୍ଣ୍ଣିମା ଓ ସବିତାଙ୍କର ଏହି କୃତିତ୍ୱ ପାଇଁ କେନ୍ଦ୍ରାପଡା ଜିଲ୍ଲା ଗୌରବାନ୍ୱିତ ହେବା ସହ ଜିଲ୍ଲାପାଳ ସମର୍ଥ ବର୍ମା, ଏଡିଏମ୍‌ ବସନ୍ତ କୁମାର ରାଉତ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଉଭୟଙ୍କର ଉତୋରତର ଉନ୍ନତି କାମନା କରିଛନ୍ତି ।

୨୦୧୯ ଜାନୁୟାରୀ ୨ ତାରିଖ ସକାଳେ କୁଜଙ୍ଗ ବ୍ଳକର ହଂସିଣା ଗ୍ରାମର ଏକାଧିକ ପରିବାରର ପ୍ରାୟ ୫୯ ଜଣ ସଦସ୍ୟ ନୂଆବର୍ଷ ଖୁସି ମନାଇବାକୁ ହୁକିଟୋଲା ବୁଲି ଯାଇଥିଲେ । ସେଠାରୁ ବଣଭୋଜି ସାରି ଫେରୁଥିବା ବେଳେ ଅନ୍ୟ ଏକ ବୋଟ ଉକ୍ତ ଜଳପଥ ଦେଇ ଅତିକ୍ରମ କରିବାରୁ ଉକ୍ତ ବୋଟ୍‌ ସହ ଧକ୍କା ହୋଇଯାଇଥିବା ଆଶଙ୍କା କରି ସମସ୍ତ ଯାତ୍ରୀ ଡଙ୍ଗାର ଗୋଟିଏ ପାଖକୁ ଚାଲି ଆସିଥିଲେ । ଫଳରେ ଡଙ୍ଗାଟି ଏପଟସେପଟ ହୋଇ ଲେଉଟି ପଡ଼ିଥିଲା । ପ୍ରଶାସନ ଖବର ପାଇ ଘଟଣାସ୍ଥଳରେ ପହଂଚିବା ଆଗରୁ ଦେବଦୂତ ସାଜି ଉଭା ହୋଇଥିଲେ ଦୁଇଭଉଣୀ ପୂର୍ଣିମା ଓ ସବିତା । ସେତେବେଳେ ବତୀଘର ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଏବଂ ଉତମ ଗିରିଙ୍କ ଝିଅ ପୂର୍ଣ୍ଣିମା ପ୍ରବଳ ଥଣ୍ଡା, ଶୀତ ଓ ପ୍ରତିକୂଳ ପାଗକୁ ଖାତିର ନକରି ନଦୀକୂଳରେ ପହଞ୍ଚି ଯାଇଥିଲେ ସେମାନଙ୍କୁ ଉଦ୍ଧାର କରିବାକୁ ।

ଦୁଇ ଭଉଣୀ ପାଣି ଭିତରେ ପଶି ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ଟାଣି ଆଣିଥିଲେ ନଦୀକୂଳକୁ । ଉଦ୍ଧାରକାରୀ ଦଳ ପହଞ୍ଚିବା ଆଗରୁ ପ୍ରାୟ ସମସ୍ତ ଯାତ୍ରୀଙ୍କୁ ସେମାନେ ସୁରକ୍ଷିତ ଭାବେ କୂଳକୁ ଆଣି ନିଆଁ ପୁଆଁଇବାର ବ୍ୟବସ୍ଥା କରିଥିଲେ । ଅନ୍ଧାର ରାତିରେ ଦୁଇ ଭଉଣୀଙ୍କ ଅଦମ୍ୟ ସାହସିକତା, ମାନବିକତାର ଭୁରିଭୁରି ପ୍ରଶଂସା କରାଯାଇଥିଲା । ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ପୂର୍ବରୁ ପୂର୍ଣ୍ଣିମା ଓ ସବିତା ଜାତୀୟ ସାହସିକତା ପୁରସ୍କାର ପାଇଛନ୍ତି ।

Leave A Reply

Your email address will not be published.