ବିଜେଡିର ରାଜ୍ୟ ପରିଷଦ ବୈଠକ ଆରମ୍ଭ : ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ମାଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର,(ଏସ୍ଏନ୍ୟୁଜ):ବିଜେଡିର ରାଜ୍ୟ ପରିଷଦ ବୈଠକ ସୋମବାର ଦିନ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ ପରିଷଦ ସଦସ୍ୟମାନଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ । ସୂଚନା ଅନୁସାରେ ଏହି ବୈଠକରେ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସନ୍ଧ୍ୟା ସୁଦ୍ଧା ଗୋଟିଏ ଲେଖା ମତାମତ ଦେବାକୁ କହିଛନ୍ତି ସେ ।
ଗତକାଲି ବିଜେଡି କାର୍ଯ୍ୟକରିଣୀରେ ଯାହା ପ୍ରସ୍ତାବ ଆଗତ ହୋଇଥିଲା, ତାକୁ ଆଜି ରାଜ୍ୟ ପରିଷଦରେ ପାରିତ କରାଯିବ । ଏହା ସହ ଅନେକ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ଏହି ବୈଠକରେ ତୃଣମୂଳ ସ୍ତରରେ ଦଳକୁ କିପରି ଆହୁରି ସଶକ୍ତ କରାଯିବ ସେ ନେଇ ଆଲୋଚନା କରାଯିବ। ଏହାସହ ଓଡ଼ିଶାକୁ ବାରମ୍ବାର କେନ୍ଦ୍ରୀୟ ଅବହେଳାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତୁତ ହେବ ରୋଡମ୍ୟାପ୍ ।ମୟୁରଭଞ୍ଜର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ ସାଂସଦ ମମତା ମହନ୍ତ। ପୂର୍ବରୁ କଟକ ବଡ଼ ମେଡିକାଲକୁ ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି