ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳବିବାଦ ମାମଲା : ଆପୋସ ଆଲୋଚନା ପାଇଁ ଶେଷ ସୁଯୋଗ ଓଡ଼ିଶା-ଛତିଶଗ଼ଡ଼ ଆଭିମୁଖ୍ୟ ଉପରେ ନଜର

ନୂଆଦିଲ୍ଲୀ/ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): : ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଆଜି ଶେଷ ଥର ପାଇଁ ଦୁଇ ପକ୍ଷଙ୍କୁ ଅନ୍ତରୀଣ ବ୍ୟବସ୍ଥା ସକାଶେ ଆପୋସ ଆଲୋଚନାର ସୁଯୋଗ ଦେଇଛନ୍ତି। ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ. ଏମ୍. ଖାନୱିଲକର, ଜଷ୍ଟିସ୍ ରବି ରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ କୌରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରି ଏହି ଚୂଡ଼ାନ୍ତ ସୁଯୋଗ ଦେଇଥିଲେ। ଦୁଇ ପକ୍ଷଙ୍କ ଦ୍ୱାରା ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ ବୋଲି ସହମତି ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ଦ୍ୱାରା ଅକ୍ଟୋବର ୨୦୧୮ରେ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ କରି ଗତ ଦୁଇ ବର୍ଷରୁ ଟ୍ରିବ୍ୟୁନାଲ ଦୁଇ ପକ୍ଷଙ୍କୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ଆପୋସ ଆଲୋଚନାର ପ୍ରସ୍ତାବ ଦେବା ସତ୍ତ୍ୱେ ଛଅଟି ବୈଠକରେ କୌଣସି ସମାଧାନର ବାଟ ଫିଟି ପାରିନାହିଁ। ଆଜିର ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମିଳିତ ଭାବେ ମହାନଦୀ ଜଳ ବିବାଦ ମାମଲାର ଟ୍ରାଏଲକୁ ସମ୍ପୂର୍ଣ୍ଣ କରିବା ଲାଗି ସମୟସୀମା ନିର୍ଦ୍ଧାରଣ ନିମନ୍ତେ ଦିଆଯାଇଥିବା ନିର୍ଦେଶ ଅନୁସାରେ କି କି ପଦକ୍ଷେପ ନିଆଯାଇଛି, ସେ ନେଇ ଜଣାଇଥିଲେ। କୁହାଯାଇଥିଲା ଯେ ଲଗାତାର ତିନିଦିନ ଧରି ବୈଠକ କରାଯାଇଥିଲା ଏବଂ ବୈଠକରେ ପକ୍ଷଭୁକ୍ତ ରାଜ୍ୟମାନେ ସମୟସୀମା ନର୍ଦ୍ଧାରଣ ପାଇଁ ସହମତି ପ୍ରକାଶ କରିଥିଲେ। ତେବେ କମନ୍ ଇନ୍‌ଫର୍‌ମେସନ ଫର୍ମାଟ ଚୂଡ଼ାନ୍ତ ହୋଇପାରିନଥିବା ଯୋଗୁଁ ଶେଷ ମୁହୂର୍ତ୍ତରେ ପକ୍ଷଭୁକ୍ତ ରାଜ୍ୟମାନେ ସମୟସୀମା ଚୂଡ଼ାନ୍ତ କରିବାରେ ସଫଳ ହୋଇପାରିନଥିଲେ ବୋଲି ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲେ। ଟ୍ରିବ୍ୟୁନାଲ ଉଭୟ ରାଜ୍ୟମାନଙ୍କର ବକ୍ତବ୍ୟକୁ ରେକର୍ଡକୁ ନେବା ସହିତ ଚଳିତ ମାସରେ ୭ ରୁ ୧୦ ଦିନ ଭିତରେ କମନ୍ ଇନ୍‌ଫରମେସନ ଫର୍ମାଟକୁ ଚୂଡାନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲର ଦୁଇ ଆସେସର ଖୁବଶୀଘ୍ର ଓଡିଶା ଓ ଛତିଶଗଡର ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବେ ବୋଲି ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଥିଲେ।

Leave A Reply

Your email address will not be published.