ଭୁବନେଶ୍ୱର,(ଏସ୍ଏନ୍ୟୁଜ):ବିଜୁ ପଟ୍ଟନାୟକ ବିମାନବନ୍ଦର ଭିତରୁ ବାହାରିଲା ମୋଟା କଳା ଧୂଆଁ। ପ୍ରଥମେ ବିମାନବନ୍ଦରରେ ପ୍ରସ୍ତୁତ ଥିବା ୩ଟି ଦମକଳ ସାଇରନ ଦେଇ ଭିତରକୁ ପଶିଥିଲେ। ସିଆଇଏସ୍ଏଫ୍ ଯବାନମାନେ ମଧ୍ୟ ସଜାଗ ହୋଇଯାଇଥିଲେ। ମାତ୍ର କେଇ ସେକେଣ୍ଡରେ ଦୁଇଟି ଆମ୍ବୁଲାନ୍ସ ପହଞ୍ଚିଥିଲା। ଷ୍ଟ୍ରେଚର୍ରେ ତିନିଜଣଙ୍କୁ ଅଣାଯାଇ ଆମ୍ବୁଲାନ୍ସରେ ଭର୍ତ୍ତି କରିବା ପରେ ପରେ ସାଇରନ ବଜାଇ ଆମ୍ବୁଲାନ୍ସ ବିମାନବନ୍ଦରରୁ ବାହାରି ଯାଇଥିଲା। କିଛି ସମୟ ପରେ ଆଉ ୩ଟି ଦମ୍କଳ ମଧ୍ୟ ଭିତରେ ପଶିଥିଲା। ଡାକ୍ତରୀ ଟିମ୍ ଓ ରେଡ୍କ୍ରସ୍ ସ୍ବେଚ୍ଛାସେବୀ ମଧ୍ୟ ପହଞ୍ଚିଥିଲେ। କେତେକ ସରକାରୀ ଅଫିସରଙ୍କୁ ନେଇ ସରକାରୀ ଗାଡ଼ି ମଧ୍ୟ କ୍ଷୀପ୍ର ଗତିରେ ବିମାନବନ୍ଦର ଭିତରକୁ ପ୍ରବେଶ କରିଥିଲା। କ’ଣ ହେଲା କାହା ପାଖରେ ଖବର ନଥିଲା। ଯିଏ ଭିତରୁ ବାହାରୁଥିଲା ସମସ୍ତେ ତାକୁ ପଚାରୁଥିଲେ। ସମସ୍ତେ କିଛି ଅଘଟଣର ଆଶଙ୍କା କରୁଥିଲେ। ହେଲେ ଏହା ଅଘଟଣ ନୁହେଁ, ବରଂ ଅଘଟଣର ମୁକାବିଲା ପାଇଁ ବିମାନବନ୍ଦର କେତେ ପ୍ରସ୍ତୁତ ଅଛି ତାହାର ଚାଲିଥିଲା ମକ୍ଡ୍ରିଲ୍।