ସାଦା ପୋଷାକରେ ଜଗି ବସିଥିଲା ପୋଲିସ
ଭୁବନେଶ୍ୱର,(ଏସ୍ଏନ୍ୟୁଜ)ପଟିଆ କଲେଜ ରୋଡ୍ରେ ଥିବା ଏକ ବିୟର୍ ବାର୍ ନିକଟରୁ ଆଜି ଇନ୍ଫୋସିଟି ଥାନା ପୁଲିସ ଏକ ଦମ୍ପତି ସମେତ ୪ଜଣଙ୍କୁ ଗିରଫ କରିଛି। ରାଜଧାନୀରେ ବିଭିନ୍ନ ବାର୍କୁ ବ୍ରାଉନ୍ ସୁଗାର ଯୋଗାଉଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଜଗତସିଂପୁର ଜିଲ୍ଲା ପଥପଡ଼ା ଗ୍ରାମର ଶିବପ୍ରସାଦ ମହାନ୍ତି(୩୮), ତାଙ୍କ ସ୍ତ୍ରୀ ଅର୍ପିତା ରାୟ(୨୮), ରାଜକନିକା ଠାକୁରାଣୀପାଳ ଗାଁର ସତ୍ୟଜିତ୍ ବଳ(୩୩) ଓ ଚୌଦ୍ବାରର ଅଜିତ୍ କୁମାର ଦାସ(୩୮)। ସେମାନେ ବମିଖାଲ୍ ନିକଟ ଏକ କଲୋନିରେ ରହୁଥିବା ଜଣାପଡ଼ିଛି। ଦମ୍ପତି ଶିବ ଓ ଅର୍ପିତା ଏହି କାରବାରର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କ ନିକଟରୁ ୭ ଗ୍ରାମ୍ ବ୍ରାଉନ୍ସୁଗାର, ୪୭ ହଜାର ଟଙ୍କା ଓ ଏକ କାର୍ ଜବତ କରିଛି।
ସୂଚନାନୁସାରେ ପଟିଆ ଅଞ୍ଚଳର କେତେକ ବାର୍ରେ ବ୍ରାଉନ୍ସୁଗାର କାରବାର ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ତେଣୁ ପୁଲିସ ଉକ୍ତ ରାକେଟ୍କୁ ଠାବ କରିବା ପାଇଁ କିଛି ଦିନ ହେଲା ଛକି ରହିଥିଲା।
ଗୁରୁବାର କଲେଜରୋଡ୍ସ୍ଥିତ ଏକ ବିୟର୍ ବାର୍କୁ ଏହି ଗ୍ୟାଙ୍ଗ୍ ଆସୁଥିବା ଖବର ପାଇ ପୁଲିସ ସେଠାରେ ସାଦା ପୋଷାକରେ ଜଗି ବସିଥିଲା। ସେମାନେ ଏକ କାର୍ (ଓଡି୦୨ବିଏଚ୍-୭୨୯୮)ରେ ସେଠାରେ ପହଞ୍ଚିଥିଲେ। କିନ୍ତୁ ବାର୍ରେ ପଶିବା ପୂର୍ବରୁ ପୁଲିସ ଛକି ବସିଥିବା କଥା ସେମାନେ ଜାଣି ପାରି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ଘେରାଉ କରି ସେମାନଙ୍କୁ କାବୁ କରିଥିଲା। ଯାଞ୍ଚ କଲାବେଳେ କାର୍ ଭିତରୁ ୭ ଗ୍ରାମ୍ ବ୍ରାଉନ୍ସୁଗାର ଓ ନଗଦ ୪୭ ହଜାର ଟଙ୍କା ମିଳିଥିଲା। ତେଣୁ ଏହି ବାର୍ ପୂର୍ବରୁ ସେମାନେ ୪୭ ହଜାର ଟଙ୍କାର ବ୍ରାଉନ୍ସୁଗାର ଅନ୍ୟତ୍ର ବିକିଥିବା ସନ୍ଦେହ କରାଯାଉଛି। ପୁଲିସ ଅଧିକ ଛାନ୍ଭିନ୍ ଜାରି ରଖିଛି। ଶିବ ଓ ଅର୍ପିତା ବାର୍ ସହ ଯୋଗାଯୋଗ କରୁଥିବାବେଳେ ସତ୍ୟଜିତ୍ ଓ ଅଜିତ୍ ବାହାରୁ ମାଲ୍ ଚାଲାଣ କରୁଥିବା ଜଣାପଡ଼ିଛି।