ଜୟପୁର: ଦୁର୍ବଳ ହେଉଛି ଲାଲବାହିନୀ, ଭୁଶୁଡ଼ିଛି ମାଓଗଡ଼ । କୋରାପୁଟ ଏସପିଙ୍କ ନିକଟରେ ମହିଳା ମାଓ କ୍ୟାଡର ରାମେ ମାଡକାମୀ ଆତ୍ମସମର୍ପଣ କରିଛନ୍ତି । ରାମେ ପ୍ରୋଟେକ୍ସନ ପାର୍ଟି ଅଫ୍ ଅକିରାଜୁ ହରଗୋପାଳର କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ କାମ କରୁଥିଲା । ମାଓନେତା ରାମକୃଷ୍ଣଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ରାମେ ମାଡ଼କାମୀ । ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ରାମେଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ତାଙ୍କ ନାଁରେ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା ରାମେ ମାଡ଼କାମୀର ଘର ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ କୁରୁବ ଗାଁରେ । ସେ ୧୬ ବର୍ଷ ବୟସରେ ୨୦୧୩ ମସିହାରେ ସିପିଆଇ ମାଓବାଦୀର ସାଂସ୍କୃତିକ ଗ୍ରୁପ ‘ସାଂସ୍କୃତିକ ଗଣ ନାଟ୍ୟ ମଣ୍ଡଳି’ରେ ସାମିଲ୍ ହୋଇଥିଲେ । ସେଠାରେ ତାଙ୍କୁ ମିଲିଟାରୀ ଟ୍ରେନିଂ ଦିଆଯାଇଥିଲା । ପ୍ରଥମେ ଥ୍ରୀ ନଟ୍ ଥ୍ରୀ ରାଇଫଲ୍ ଓ ACM ରାଙ୍କକୁ ପଦୋନ୍ନତି ପରେ ଇନସାସ୍ ରାଇଫଲ୍ ମିଳିଥିଲା ।
