ବୋଇତ ବନ୍ଦାଣ ଉପରେ ପ୍ରଶାସନ ପକ୍ଷରୁ କଟକଣା

ଭୁବନେଶ୍ବର,(ଏସ୍‌ଏନ୍ୟୁଜ):ଚଳିତ ବର୍ଷ ରାଜଧାନୀର ବିଭିନ୍ନ ଗାଁ ପୋଖରୀରେ ବୋଇତ ବନ୍ଦାଣ ଉତ୍ସବକୁ ବନ୍ଦ କରାଯାଇଛି। ବୋଇତ ବନ୍ଦାଣ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହେବା ପରେ ଡଙ୍ଗା ଭସା ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆଶା ସଂଚାର କରିଥିବା ବିଭିନ୍ନ ଗ୍ରାମ୍ୟ ଓ ମନ୍ଦିର କମିଟିମାନଙ୍କର ପ୍ରସ୍ତୁତିରେ ଯବନିକା ପଡ଼ିଛି। ପ୍ରଶାସନର ନିଷ୍ପତ୍ତି ପୂର୍ବରୁ ଭୁବନେଶ୍ବରରେ ଥିବା କିଛି ଗାଁ ପୋଖରୀରେ ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ଏଥିରେ ଭଟା ପଡ଼ିଛି। ତେଣୁ ରସୁଲଗଡ଼, ନୂଆପଲ୍ଲୀ, ବରମୁଣ୍ଡା, ଡୁମୁଡୁମା, ଆଇଗିଣିଆ ଘାଟିକିଆ, ଜାଗମରା ଆଦି ପ୍ରମୁଖ ଗ୍ରାମ୍ୟ କମିଟି ଡଙ୍ଗା ଭସା ଆୟୋଜନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେଣୁ ଚଳିତ ବର୍ଷ ଡଙ୍ଗା ଭସା ବିନା ଗାଁ ପୋଖରୀ ଖାଁ ଖାଁ ଲାଗିବ ବୋଲି ଲୋକେ ଦୁଃଖ କରିଛନ୍ତି।

ପ୍ରଶାସନର ନିଷ୍ପତ୍ତି ପରେ ରାଜଧାନୀରେ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ଡଙ୍ଗା ଭସା କରାଯିବ ନାହିଁ ବୋଲି କୁହାଯାଇଛି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପୋଖରୀ ନିକଟରେ ମନ୍ଦିର କମିଟି ପକ୍ଷରୁ ପୋଷ୍ଟର୍ ମରାଯିବ ବୋଲି କୁହାଯାଇଛି। ତେବେ କେବଳ ରାଇଦାମୋଦର ବ୍ରତ ଉଦ୍‌ଯାପନ ପର୍ବ ପାଳିତ ହେବ। ନୂଆପଲ୍ଲୀ ବାଲୁଙ୍କେଶ୍ବର ପୁଷ୍କରିଣୀରେ ଏଥର ଡଙ୍ଗାଭସା ହେବ ନାହିଁ। ଏନେଇ ନୂଆପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ନଟବର ସାମନ୍ତରାୟ କହିଛନ୍ତି ଯେ କରୋନା ପାଇଁ ଆମେ ଏଥର ମନ୍ଦିରରେ ପୂଜା ସମେତ ପୋଖରୀରେ ବୋଇତ ବନ୍ଦାଣ ବନ୍ଦ ରଖିଛୁ। ଏଠାରେ ପ୍ରତିବର୍ଷ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୁଏ। ତେଣୁ ପୋଖରୀ ନିକଟରେ ପୋଷ୍ଟର୍ ଲଗାଇ ଡଙ୍ଗାଭସା ବନ୍ଦ ରଖାଯାଇଥିବା ଲୋକଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି। ପୋଖରୀ ଚାରିପାଖରେ ପାଚେରି ନଥିବାରୁ କିଛି ଲୋକ ଡଙ୍ଗା ଭସାଇବାକୁ ଆସିପାରନ୍ତି। ଏ ନେଇ ଆଜି ସେମାନେ ସ୍ଥାନୀୟ ନୂଆପଲ୍ଲୀ ପୁଲିସ୍ ଷ୍ଟେସନ୍‌ରେ ଲିଖିତ ଆକାରରେ ଜଣାଇଛନ୍ତି। ଯଦି କେହି ଅମାନିଆ ଶ୍ରଦ୍ଧାଳୁ ଡଙ୍ଗା ଭସାଇବାକୁ ଆସନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଗଲେ କମିଟି ପକ୍ଷରୁ କୌଣସି ଆପତ୍ତି ରହିବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ବରମୁଣ୍ଡାର ନୀଳକଣ୍ଠେଶ୍ବର ମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମପ୍ରସାଦ ରଣସିଂହ ମଧ୍ୟ ସମାନ କଥା କହିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏଠାରେ ପ୍ରତିବର୍ଷ ରାତିରୁ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ରାତି ୩ଟାରୁ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ଭିଡ଼ ଜମେ। ତେବେ ମହାମାରୀ କରୋନା ପାଇଁ ଏଥର ରାସ ପୂର୍ଣ୍ଣିମା ଓ ଡଙ୍ଗାଭସା ଆୟୋଜନ ହେବ ନାହିଁ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ପୋଖରୀ ନିକଟରେ ଏବେଠାରୁ ପୋଷ୍ଟର୍ ଲଗାଯାଇ ଜନସଚେତନତା କରାଯାଇଥିବା ସେ କହିଛନ୍ତି। ଏହା ସହିତ ଆଇଗିଣିଆ ଓ ଡୁମୁଡୁମା ଆଦି ଅଞ୍ଚଳରେ ଡଙ୍ଗାଭସା ହେବନାହିଁ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.