କଟକ,(ଏସ୍ଏନ୍ୟୁଜ): ଏକ୍ସକ୍ଲୁସିଭ୍ ୱାର୍ଲଡ଼୍ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି କଟକର ୨ ବର୍ଷ ୧୧ ମାସର ଶିଶୁ କେ. ସାଇ ପ୍ରତ୍ୟୁଷ। ମାତୃଭାଷା ଓଡ଼ିଆ ସମେତ ହିନ୍ଦୀ, ଇଂରାଜୀ, ତେଲଗୁ ଭଳି ଚାରୋଟି ଭାଷାରେ କଥା କହିବା ସହ, ଚାରୋଟି ଭାଷାରେ ୩୬ ପ୍ରକାରର ରାଇମସ୍, ଜାତୀୟ ସଙ୍ଗୀତ, ଗାୟତ୍ରୀ ମନ୍ତ୍ର ଭଳି ପାଞ୍ଚରୁ ଛଅ ପ୍ରକାରର ଶ୍ଳୋକ, ବିଭିନ୍ନ ରାଜ୍ୟ ଓ ରାଜଧାନୀର ନାମ କହି ଏଭଳି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଏହି ଶିଶୁ।
କଟକର ସିଡ଼ିଏ ସେକ୍ଟର-୧୧ରେ ରହୁଥିବା କେ. ସାଇ କିଶୋର ଓ ଦୀପ୍ତିରେଖା ମହାନ୍ତିଙ୍କ ପୁଅ କେ. ସାଇ ପ୍ରତ୍ୟୁଷ ସ୍ଥାନୀୟ ଏକ ଘରୋଇ ସ୍କୁଲରେ ପ୍ରି ନର୍ସରିରେ ପଢୁଛନ୍ତି। ବାପା ତାମିଲ ଓ ମା ଓଡ଼ିଆ ହୋଇଥିବାରୁ ଅତି କମ୍ ବୟସରେ ଦୁଇଟି ଯାକ ଭାଷାକୁ ଅନୁକରଣ କରି ଓଡ଼ିଆ, ତେଲୁଗୁ କହିବା ସହିତ ହିନ୍ଦୀ, ଇଂରାଜୀ ଭାଷାରେ ବି ସେ କଥା କହିବା ଆରମ୍ଭ କରିଥିଲେ। ଚାରୋଟି ଭାଷାରେ ୩୬ ପ୍ରକାରର ରାଇମସ୍, ଜାତୀୟ ସଙ୍ଗୀତ, ଗାୟତ୍ରୀ ମନ୍ତ୍ରୀ ଭଳି ପାଞ୍ଚରୁ ଛଅ ପ୍ରକାରର ଶ୍ଳୋକ, ବିଭିନ୍ନ ରାଜ୍ୟ ଓ ରାଜଧାନୀର ନାମ ସେ ଚଟାପଟ କହି ପାରୁଛନ୍ତି। ପ୍ରତ୍ୟୁଷଙ୍କ ସମସ୍ତ ଜିନିଷ ଜାଣିବା ପ୍ରତି ଆଗ୍ରହକୁ ଦେଖି ତାଙ୍କ ମା ତାଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥାନ୍ତି। ଖୁବ୍ ଅଳ୍ପ ସମୟରେ ବହୁ କଥା ମନେ ରଖି ଦିଅନ୍ତି ପ୍ରତ୍ୟୁଷ। ମା ଦୀପ୍ତିରେଖା ସୋସିଆଲ ମିଡିଆ ମାଧ୍ୟମରେ ୱାର୍ଲଡ ବୁକ୍ ଅଫ୍ ରେକର୍ଡସ ପାଇଁ ପ୍ରତ୍ୟୁଷଙ୍କ ନାମ ଆବେଦନ କରିଥିଲେ। ଏବଂ ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରି ବହୁ ପିଲାଙ୍କୁ ପଛରେ ପକାଇ ଏହି ରେକର୍ଡସରେ ନିଜ ସ୍ଥାନ ସୃଷ୍ଟି କରି ପାରିଥିଲେ ସାଇ ପ୍ରତ୍ୟୁଷ।
ଗତ ସେପ୍ଟେମ୍ବର ମାସରେ ପ୍ରତିଯୋଗିତା ପାଇଁ ଆବେଦନ କରି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଚଳିତ ମାସରେ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହେବା ସହିତ ପୁରସ୍କୃତ ହୋଇଥିଲେ। ତାଙ୍କ ମା’ଙ୍କ କହିବା ଅନୁଯାୟୀ, ପ୍ରତ୍ୟୁଷ ପ୍ରତ୍ୟେକଟି କଥାକୁ ମନ ଦେଇ ଶୁଣିଥାଏ। ଏବଂ ବହୁ ଜିନିଷ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାଏ। ଏହି ପ୍ରତିଯୋଗିତା ପାଇଁ ନାମ ପଞ୍ଚିକୃତ କରିବା ପରେ କରୋନା ଯୋଗୁଁ ଅନ୍ଲାଇନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେଥିରେ ପ୍ରତ୍ୟୁଷ ସଫଳ ହୋଇ ପୁରସ୍କୃତ ହୋଇପାରିଛି ବୋଲି ମା’ ଦୀପ୍ତିରେଖା ସୂଚନା ଦେଇଛନ୍ତି।