ପୂର୍ବତନ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ଆଦର୍ଶ ଥାନା ପୋଲିସ

ମାଲକାନଗିରି,(ଏସ୍‌ଏନ୍ୟୁଜ):ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ କଲା ମାଲକାନଗିରି ଆଦର୍ଶ ଥାନା ପୋଲିସ । ଜିଲ୍ଲାପାଳଙ୍କ ପୂର୍ବତନ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ଏତଲା ରୁଜୁ କରିନଥିଲା । ପରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ପିଏ ପଣ୍ଡାଙ୍କ ସ୍ତ୍ରୀ ବନଜା । ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ତାଙ୍କ କାର୍ଯ୍ୟାଳୟର ଅନ୍ୟ ତିନି ଜଣ କର୍ମଚାରୀ ଭି. ବେଣୁ ରାଓ, ପ୍ରକାଶ ଚନ୍ଦ୍ର ସ୍ବାଇଁ ଏବଂ ଭଗବାନ ପାଣିଗ୍ରାହୀଙ୍କ ନାମରେ ମାଲକାନଗିରି ଏସ.ଡି.ଜେ.ଏମ କୋର୍ଟରେ ଏତଲା ଦେଇଥିଲେ ଜିଲ୍ଲାପାଳଙ୍କ ପୂର୍ବତନ ପିଏ ଦେବ ନାରାୟଣ ପଣ୍ଡାଙ୍କ ସ୍ତ୍ରୀ ବନଜା ପଣ୍ଡା ।

 ପିଏ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ୮ ମାସ ବିତି ଯାଇଥିଲେ ହେଁ ଏହି ଘଟଣାର ସବିଶେଷ ତଥ୍ୟ ପଦାକୁ ନଆସିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ପରିବାର ଲୋକେ । ମୃତ ଦେବ ନାରାୟଣ ପଣ୍ଡାଙ୍କ ସ୍ତ୍ରୀ ଏହି ଘଟଣାକୁ ନେଇ ପୂର୍ବରୁ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ଏତଲା ରୁଜୁ କରିନଥିବାରୁ ଶେଷରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବନଜା । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଦାଇ ବୋଲି କହିଛନ୍ତି ବନଜା ପଣ୍ଡା ।

 ଘଟଣାର ତଦନ୍ତ ଠିକ ଭାବେ  ହେଉ ନଥିବାରୁ କୌଣସି ନିଷ୍କର୍ଷ ବାହାରୁ ନାହିଁ । ଜିଲ୍ଲା ଏସପିଙ୍କ ଠାରୁ ଆରମ୍ଭ କରି ଡିଜିପି ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଫେରାଦ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୧୩ ତାରିଖ ଦିନ ପୋଲିସ ମାମଲା ରୁଜୁ କରିଛି । ଧାରା ୩୦୨, ୨୦୧, ୨୦୪ ଓ ୫୦୬  ଅନୁଯାୟୀ ଏତଲା ରୁଜୁ କରିଛି ପୋଲିସ । ଘଟଣାର ତଦନ୍ତ କରିବା ଲାଗି ଏସ.ଆଇ.ଟି ଘଟଣା କରାଯାଇଥିବା ମାଲକାନଗିରି ଏସପି କହିଛନ୍ତି ।

Leave A Reply

Your email address will not be published.