ଫେଲ ମାରିଲେ ବିଧାୟକ ଏବଂ ସାଂସଦ

ତୁଟିଲାନି ବିର୍ଲା ଟାୟାର ଶ୍ରମିକ ସମସ୍ୟା

ରେମୁଣା, (ଏସଏ ନ୍ୟୁଜ): ବିର୍ଲା ଟାୟାର କାରଖାନାର ଶ୍ରମିକମାନଙ୍କର ବିଭିନ୍ନ ଦାବି ନେଇ ଅହୋରାତ୍ର ଧାରଣାରେ ବିଧାୟକ ଏବଂ ସାଂସଦଙ୍କ ହସ୍ତକ୍ଷେପ ପରେ ବି ସମସ୍ୟାକୁ ତୁଟାଇବାରେ ଉଭୟ ଫେଲ ମାରିଥିବାର ଜଣାପଡିଛି । ଖବର ଅନୁସାରେ ପାଖାପାଖି ୫୦୦୦ ଶ୍ରମିକ କର୍ମଚାରୀ ୮ମାସ ଧରି ଦରମା ନ ପଇବା ସହ ବିଭିନ୍ନ ଦାବି ନେଇ କମ୍ପାନି କତୃପକ୍ଷ ତଥା ପ୍ରଶାସନ ଅଣଦେଖା କରୁଥିବାର ଅଭିଯୋଗ ହୋଇଆସୁଛି । ଫଳରେ ଶ୍ରମିକମାନେ ବାଧ୍ୟ ହୋଇ ସପରିବାର ଗତ ବୁଧବାରଠାରୁ କାରଖାନା ଆଗରେ ଧାରଣରେ ବସିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗ ସବୁ ଜାଣି ଶୁଣି ଚୁପ ରହୁଥିବାର ମଧ୍ୟ ଅଭିଯୋଗ ହେଉଛି । ଗତ ଶନିବାର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମସ୍ୟାର ସମାଧାନ ପାଇଁ ବିର୍ଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବି କୌଣସି ସମାଧାନର ବାଟ ଫିଟି ନ ଥିଲା । ଅପରପକ୍ଷେ ରବିବାର ବିଧାୟକ ସୁଧାଂଶୁ ଶେଖର ପରିଡା ରେମୁଣା ତହସିଲଦାର ଏବଂ ସଦର ଏସଡିପିଓଙ୍କୁ ନେଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନଥିଲା । ପୁଣି ସୋମବାର ପୂର୍ବାହ୍ନରେ ସାନି ଆଲୋଚନା ସତ୍ୱେ କମ୍ପାନି ପକ୍ଷରୁ ମାତ୍ର ୭ ଦିନର ଦରମା ଦେଇ କାରଖାନା ଚଲାଇବାକୁ ପ୍ରସ୍ତାବ ରଖିଥିଲେ । କିନ୍ତୁ ଶ୍ରମିକମାନେ ୧୫ ଦିନର ଦରମା ଦାବି କରିଥିଲେ । ଫଳରେ ଆଲୋଚନା ସଫଳ ହୋଇନଥିଲା । ଉଲ୍ଲେଖଯୋଗ୍ୟ ଉଭୟ ବିଧାୟକ ଏବଂ ସାଂସଦ ପୃଥକ ଭାବେ ଆଲୋଚନା କରିବା ସମସ୍ୟା ସମାଧାନ ନ ହେବାର ଅନ୍ୟ ଏକ କାରଣ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଯାହାକି ଦଳୀୟ ଲାଇନରେ ନିଜେ ମାଇଲେଜ ନେବାକୁ ଉକ୍ତ ଆଲୋଚନା ଉଦ୍ଦିଷ୍ଟ ଥିଲା ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଏଥିରେ ହସ୍ତକ୍ଷେପ କରି ଶ୍ରମିକମାନଙ୍କ ସମସ୍ୟାର ସମାଧାନ କରି ୫୦୦୦ ପରିବାରର ଜୀବନ ଜୀବିକାକୁ ସୁରକ୍ଷା ଦେବାକୁ ସବୁ ମହଲରେ ଦାବି ହେଉଛି ।

Leave A Reply

Your email address will not be published.