ଭୁବନେଶ୍ୱର,(ଏସ୍ଏନ୍ୟୁଜ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀମାନଙ୍କ ପାଇଁ କୃଷକ ଡାଟାବେସ୍, କୃଷିସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନ୍ଲାଇନ୍ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନ୍ଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷକ ଓଡିଶାରେ ଆମର ୭୬ ଲକ୍ଷ ଚାଷୀ ଭାଇଭଉଣୀମାନଙ୍କ ଡାଟାବେସ୍ ରଖାଯିବା ବହୁତ ଭଲ ଉଦ୍ୟମ। ଏହାସହିତ ସବୁ ଚାଷୀ ମାନଙ୍କୁ କୃଷକ ପରିଚୟ ପତ୍ର ମଧ୍ୟ ଦିଆଯିବ। ଏହାଦ୍ଵାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ।

ସୂଚନାଯୋଗ୍ୟ ଯେ କୃଷକ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀମାନଙ୍କୁ ନେଇ କୃଷକ ଡାଟାବେସ୍ ଶୁଭାରମ୍ଭ କରାଯାଇଛି। ଏହି ଡାଟାବେସ୍ର ଯାଂଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହାଦ୍ଵାରା କୃଷକମାନେ ବିଭିନ୍ନ ଯୋଜନା ଓ ସେବାର ସୁଫଳ ଅତି ଶୀଘ୍ର ପାଇପାରିବେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଭାଇଭଉଣୀ ନିଜ କାମ ଛାଡି ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ନ ଆସି ଘରେ ରହି ଅନ୍ଲାଇନ୍ ଜରିଆରେ ସେବା ପାଆନ୍ତୁ ବୋଲି ସେ ଚାହାନ୍ତି। ଆଜିର ୫-ଟି ଇନାଇଟିଆଭିଟ୍ ଏହାକୁ ସଫଳ କରିଛି ବୋଲି ସେ ପ୍ରକାଶ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଇ-ଲାଇସେନ୍ସ ପ୍ରଦାନ ସହିତ ୬ଟି ଅନ୍ଲାଇନ ସେବା ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ଲାଇନ ସାର୍ଟିଫିକେଟ ଓ ମାର୍କସିଟ୍ ଆଦି ୯ଟି ସେବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ଦକ୍ଷତା କାର୍ଯ୍ୟକ୍ରମରେ ଦକ୍ଷ କୃଷି କର୍ମଚାରୀ ମାନଙ୍କୁ ସ୍ୱୀକୃତି ଓ ପୁରସ୍କାର ପ୍ରଦାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସରେ ୨୨ ଜଣ କର୍ମଚାରୀ ଓ ଅକ୍ଟୋବର ମାସରେ ୩୮ ଜଣ କର୍ମଚାରୀଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର,ଓୟୁଏଟିର କୁଳପତି, ସମବାୟ ବିଭାଗର କମିସନର ତଥା ଶାସନ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।