ସକିଲର ତିନି ସହଯୋଗୀ ଗିରଫ

କଟକ,(ଏସଏ ନ୍ୟୁଜ):
ଦାଦାବଟି ଲାଗି ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ । ଏଥିଲାଗି ଜେଲ ଭିତରୁ ତିଆରି ହେଉଛି ମାଷ୍ଟରପ୍ଲାନ । କାହାକୁ ବନ୍ଧୁକର ଭୟ ଦେଖାଇ ତ’ ଆଉ କାହାକୁ ଅପହରଣ ଓ ହତ୍ୟା ଧମକ ଦେଇ ଆଦାୟ ହେଉଛି ଦାଦାବଟି । ସବୁ ଅପରାଧ ପଛରେ ରହିଛି ଜେଲ ଲିଙ୍କ । ଜେଲ ଭିତରୁ ଗ୍ୟାଙ୍ଗଷ୍ଟର ସକିଲ ଓରଫ ମହମ୍ମଦ ସକିଲ ବଟି ମାଗିବା ଘଟଣାକୁ ସପ୍ତାହେ ନ ପୁରୁଣୁ ତା’ର ପୁଣି ଏକ କଳା କାରନାମା ସାମ୍ନାକୁ ଆସିଛି । ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବନ୍ଧୁକର ଭୟ ଦେଖାଇ ସକିଲର ସହଯୋଗୀମାନେ ଦାଦାବଟି ନେଇଛନ୍ତି । ଏହି ଘଟଣାରେ ବାଦାମବାଡି ପୋଲିସ ତତ୍ପରତା ଦେଖାଇ ୩ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁରର ୱାସିମ ଖାନ(୨୨), ରାଜେଶ ଓରଫ ସେକ ଜାବିଦ(୩୦), ସାଜନ ଓରଫ ମହମ୍ମଦ ଶାହାଜାନ(୪୬) । ଅଭିଯୁକ୍ତଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ଓ ୪ଟି ମୋବାଇଲ ସହ ଗୋଟିଏ ଏଟିଏମ କାର୍ଡ ଜବତ କରାଯାଇଛି ।ବାଦାମବାଡି ଥାନା ଅନ୍ତର୍ଗତ ମହତାବ ରୋଡରେ ସେକ ଇମାମବୁଲ ବ୍ୟବସାୟ କରନ୍ତି । ଗତ କିଛି ଦିନ ତଳେ ସେ କେଶରପୁରରେ ଏକ ଜମି କ୍ରୟ କରିଥିଲେ । ଏହା ମଧ୍ୟରେ ଇମାମବୁଲ ଉକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏ ସମ୍ପର୍କରେ ଜେଲରେ ଥିବା ସକିଲ ସୂଚନା ପାଇବା ପରେ ତାଙ୍କୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । ଏପରିକି କିଛି ଦିନ ପୂର୍ବେ ସକିଲର କିଛି ସହଯୋଗୀ ନିର୍ମାଣସ୍ଥଳୀକୁ ଯାଇ ସିଧାସଳଖ ଜେଲରେ ଥିବା ସକିଲ ସହିତ ଇମାମବୁଲଙ୍କର କଥା କରାଇଥିଲେ । ଆଉ ବଟି ଟଙ୍କା ନଦେଲେ କାମ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏଥିରେ ବ୍ୟବସାୟୀ ଜଣକ ଭୟଭୀତ ହୋଇ ସକିଲର ସହଯୋଗୀଙ୍କୁ ୭୦ ହଜାର ଟଙ୍କା ଦେଇଥିଲେ । ମାତ୍ର ଅଧିକ ଟଙ୍କା ଦେବାକୁ ସକିଲ ଓ ତାର ସହଯୋଗୀମାନେ ଦାବି କରିଥିଲେ । ଏମିତିକି ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି ଅଭିଯୁକ୍ତମାନେ ଇମାମବୁଲଙ୍କୁ ଧମକ ଦେଇଥିଲେ । ତେବେ ଇମାମବୁଲ ସାହସ ଜୁଟାଇ ବାଦାମବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ କେସ ନଂ ୧୪୩/୨୦ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ସୋମବାର ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲର ୩ ସହଯୋଗୀ ରାଜେଶ, ୱାସିମ ଓ ସାଜନକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ଓ ମୋବାଇଲ ଜବତ ହୋଇଛି । ଅଭିଯୁକ୍ତ ୱାସିମ ନାଁରେ ବିଭିନ୍ନ ଥାନାରେ ୬ଟି ମାମଲା ରହିଛି । ସୋମବାର ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି

Leave A Reply

Your email address will not be published.