ଗୋଟିଏ ପରିବାରର ୬ ସଦସ୍ୟଙ୍କୁ ନିର୍ମମ ହତ୍ୟା : କାରଣ ଅସ୍ପଷ୍ଟ

ପାଟଣାଗଡ,(ଏସ୍‌ଏନ୍ୟୁଜ): ଶତ୍ରୁତା ଏବଂ କ୍ରୋଧ ଯେ କେତେ ଚରମ ସୀମାରେ ପହଂଚି ପାରେ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାଟଣାଗଡ ସହରରେ । ସହରର ବ୍ରହ୍ମପୁରା ନିକଟସ୍ଥ ସଅଁରାପଡାଠାରେ ରହୁଥିବା ବୁଲୁ ଜାନୀ(୫୦)ଙ୍କ ସହ ତାଙ୍କ ପତ୍ନୀ ଜ୍ୟୋତି ଜାନୀ(୪୮), ଝିଅ ସରିତା(୧୨), ଶ୍ରୀୟା(୦୩) ଏବଂ ପୁଅ ଭୀଷ୍ମ(୦୫) ଓ ସଂଜୀବ(୦୨)ଙ୍କୁ ଗତକାଲି ରାତିରେ କେହି ଦୁର୍ବୃତ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଜଣାଯାଇଛି । ବୁଧବାର ସକାଳ ପ୍ରାୟ ୯ ଘଂଟା ସମୟରେ ଏହି ଖବରକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ୧୧ ଘଂଟା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ହଜାର ହଜାର ଲୋକଙ୍କ ସୁଅ ଛୁଟିବାରେ ଲାଗିଛି ।
ପ୍ରକାଶ ଯେ, ପ୍ରାୟ ୧୨/୧୫ ବର୍ଷ ତଳୁ ବିହାରରୁ ଆସି ପ୍ରଥମେ ମହୁ ବିକ୍ରୀ ବ୍ୟବସାୟ କରିଥିବା ବୁଲୁ କିଛି ବର୍ଷ ତଳେ ସଅଁରାପଡାରେ ଏଜ ଜମି କିଣି ଘର ତିଆରି କରି ନିଜ ପରିବାର ସହ ରହୁଥିଲେ । ବୁଲୁଙ୍କ ପତ୍ନୀ ଏବଂ ୧୨ ବର୍ଷିୟ ଝିଅ ସରିତା ବୁଲି ବୁଲି ଚୁଡି ବିକ୍ରୀ କରୁଥିବା ଜଣାଯାଇଛି । ଗତକାଲି ରାତି ପ୍ରାୟ ୧୨ଟାରୁ ଗୋଟାଏ ମଧ୍ୟରେ ଉକ୍ତ ପରିବାର ସଦସ୍ୟଙ୍କ ପାଟିତୁଣ୍ଡ ହୋ ହଲ୍ଲା ହେବାର ଶବ୍ଦ ପାଖ ପଡୋଶୀ ଲୋକ ଶୁଣିଥିଲେ । ତେବେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ- ହୋ ହଲ୍ଲା ହେବା ଏକ ନିତ୍ୟ ନିୟମିତ ଘଟଣା ହୋଇଥିବାରୁ କେହି ଗୁରୁତ୍ୱ ଦେଇ ନ ଥିଲେ । ଆଜି ସକାଳେ ୯ ଘଂଟା ପର୍ଯ୍ୟନ୍ତ ବୁଲୁଙ୍କ ପରିବାରର କେହି ବାହାରକୁ ନ ବାହାରିବା ଏବଂ ନିଜ ନିଜ ବ୍ୟବସାୟରେ ନ ବାହାରିବା ଦେଖି କାଳେ କିଛି ଅଘଟଣ ହୋଇଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିବା ସହ କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ପ୍ରଥମେ ପୋଲିସ ଏହାକୁ ହାଲୁକା ଭାବରେ ଗ୍ରହଣ କରିଥିଲେ ମଧ୍ୟ ପରେ ଅନ୍ୟାନ୍ୟ ସୂତ୍ରରୁ ଖବର ପାଇ ଦିନ ୧୧ ଘଂଟା ବେଳକୁ ଥାନାଧିକାରୀ କେ ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳରେ ପହଂଚି ଆଉଜା ହୋଇଥିବା ଘରର କବାଟ ଖୋଲି ଭିତରକୁ ପଶିଥିଲେ । ଘରର ସମସ୍ତ ଆସବାବ୍‌ ପତ୍ର ଇତଃସ୍ତତ ହୋଇ ପଡିଥିବା ସହ ଘରର ୨ଟି ବଖରାର ବିଭିନ୍ନ ସ୍ଥାନରେ ଆପାଦ ମସ୍ତକ କମ୍ବଳ ଘୋଡାଇ ହୋଇ ଦୁଇଜଣ ବୟସ୍କ ଏବଂ ୪ ଜଣ ଶିଶୁ ଶୋଇ ରହିଥିବା ଦେଖିବାକୁ ପାଇଥିଲେ । ଯଦିଓ ଘରର କୌଣସି ସ୍ଥାନରେ ରକ୍ତର ଦାଗ ନ ଥିଲା ତେବେ ମଧ୍ୟ ନିଶ୍ଚଳ ଶରୀର ଗୁଡିକୁ ଦେଖି ଏବଂ ପାରିପାଶ୍ୱିର୍କ ଅବସ୍ଥାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରି ପୋଲିସର ସାଇଂଟିଫିକ୍‌ ଦଳକୁ ଡାକିଥିଲେ । ଘର ଭିତରେ ଏକ ଟାଙ୍ଗିଆ, ଏକ ଖଣ୍ଡା ଏବଂ ଗଇଁତି(ମାଟି ଖୋଳା ପାଇଁ ବ୍ୟବହୃତ ଶକ୍ତ ଲୁହା) ପଡି ରହିଥିବା ସହ ଘରକୁ ପଶିବା କବାଟ ପାଖରେ ଏକ ଧାରୁଆ ଟାଙ୍ଗୀ ରହିଥିବା ଦେଖିବାକୁ ମିଳିଥିଲା । ଦିନ ପ୍ରାୟ ୧ ଘଂଟା ବେଳକୁ ସାଇଂଟିିଫିକ ଦଳ ଏବଂ ସନ୍ଧାନୀ କୁକୁର ଦଳ ପହଂଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରତ୍ୟେକଟି ଶରୀରରେ ଘୋଡାଯାଇଥିବା କମ୍ବଳମାନ ଅଲଗାଇବା ପରେ ତଳେ ପଡି ରହିଥିବା ରକ୍ତ ଜୁଡୁବୁଡୁ ଶରୀର ମାନ ଲୋଟି ପଡିଥିବା ଦେଖାଯାଇଥିଲା । ପ୍ରତ୍ୟେକଟି ଶରୀରରେ ଶକ୍ତ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସ୍ପଷ୍ଟ ଚିହ୍ନମାନ ଥିବା ଖୋଯାଇଛି । ସମସ୍ତଙ୍କ ମୁଣ୍ଡ ଏବଂ ମୁହଁରେ ଶକ୍ତ ଆଘାତମାନ ଥିବା ସହ କେତେକଙ୍କ ଦେହ ଏବଂ ପିଠିରେ ମଧ୍ୟ କଟା ଦାଗମାନ ସ୍ପଷ୍ଟ ବାରି ହେଉଛି । ତେବେ କିଏ ଏବଂ କାହିଁକି ଏ ପରିବାରର ନିଷ୍ପାପ ଶିଶୁଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ଏଭଳି ନିର୍ମମ ଭାବରେ ହତ୍ୟା କଲା ତାହା ଉଭୟ ପୋଲିସଏବଂ ଜନସାଧାରଣଙ୍କ ପାଇଁ ଏକ ପ୍ରଶ୍ନବାଚୀ ହୋଇପଡିଛି । ଉକ୍ତ ପରିବାରର ନିକଟତମ ପଡୋଶୀମାନଙ୍କ ଘରମାନଙ୍କରେ କେହି ନଥିବା ସହ ତାଲା ପଡିଥିବାରୁ ଉକ୍ତ ପରିବାରର ନିର୍ଦ୍ଦିଷ୍ଟ ସଦସ୍ୟ ସଂଖ୍ୟା ସଂପର୍କରେ କିଛି ସଠିକ୍‌ ତଥ୍ୟ ମିଳୁ ନ ଥିବା ବେଳେ ବୁଲୁଙ୍କ ୩ ଜଣ ସନ୍ତାନ ସରୋଜ,ଫିରୋଜ ଏବଂ ବିକାଶ ନିଜ ନିଜ ପରିବାର ସହ ଭୁବନେଶ୍ୱରରେ ରହୁଥିବା କିଛି ଲୋକ ସୂଚନା ଦେଇଛନ୍ତି ।
ଘଟଣାସ୍ଥଳରେ ବଲାଙ୍ଗିର ଏସପି ସନ୍ଦିପ ସମ୍ପଦ ମଡକର, ଅତିରିକ୍ତ ଏସପି ମନୋରଂଜନ ପ୍ରଧାନ, କଂଟାବାଂଜୀ ଏସଡିପିଓ ପ୍ରମୁଖ ଉପସ୍ଥିତ ରହି ଶବଗୁଡିକୁ ଘର ଭିତରୁ ବାହାରକୁ ଆଣି ବ୍ୟବଚ୍ଛେଦ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ପାଟଣାଗଡ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳୀ ପଣ୍ଡା ଉପସ୍ଥିତ ରହିଛନ୍ତି । ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବାକୁ ଯାଇ ଏହା ନିଶ୍ଚିତ ଭାବରେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଏସପି ଶ୍ରୀ ମଡକର ସୂଚନା ଦେଇଥିବା ବେଳେ ହତ୍ୟାର କାରଣ ଏବଂ ହତ୍ୟାକାରୀ ସଂପର୍କରେ କୌଣସି ସୁରାକ ମିଳି ନଥିବା କହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ଅତିକ୍ତ ଏସପି ମନୋରଂଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଶ୍ରୀ ମଡକର ସୂଚନା ଦେବା ସହ ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.