ଦୁଇ ଗିରଫ, ୬୦ ହଜାର ଟଙ୍କା ଜବତ
କଟକ,(ଏସଏ ନ୍ୟୁଜ):
ଜଣେ ଛାତ୍ରକୁ ଓୟୁଏଟିରେ ନାମ ଲେଖାଇ ଦେବାକୁ କହି ୬୦ ହଜାର ଟଙ୍କା ଠକି ନେବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ଅଭିଯୁକ୍ତ ଦ୍ୱୟ ହେଲେ ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିରେ ରହୁଥିବା ସୁନ୍ଦରଗଡ ପାତ୍ରପଡା ଅଂଚଳର ସନ୍ଦୀପ ମିଶ୍ର(୨୬) ଓ ଲିଙ୍ଗରାଜ ଥାନା ଅନ୍ତର୍ଗତ ଓଲ୍ଡ ଟାଉନ ଅଂଚଳର ସୁଜିତ ରାଉତରାୟ(୨୯) । ଉଭୟ ଓୟୁଏଟିର ପୂର୍ବତନ ଛାତ୍ର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ୬୦ ହଜାର ଟଙ୍କା ପୋଲିସ ଜବତ କରିଛି ।ଦୁଇ ବିଜ୍ଞାନ ପାସ କରିଥିବା ଅନୁଭବ ସାମଲ ନାମକ ଜଣେ ଛାତ୍ର ମର୍କତନଗର ସେକ୍ଟର-୮ରେ ରହୁଛନ୍ତି । କୌଣସି ସୂତ୍ରରୁ ଅନୁଭବଙ୍କ ବିଷୟରେ ସୂଚନା ପାଇ ଅଭିଯୁକ୍ତ ସୁଜିତ ଗଲା ସପ୍ତାହରେ ତାଙ୍କ ଘରେ ପହଂଚିିଥିଲା । ଅନୁଭବଙ୍କୁ ଓୟୁଏଟିରେ ନାମ ଲେଖାଇବାରେ ସେ ସହଯୋଗ କରିବ ବୋଲି କହିଥିଲା । ଏମିତିକି ତାଙ୍କର ଜଣେ ବିଧାୟକଙ୍କ ସହିତ ଭଲ ସମ୍ପର୍କ ଅଛି ।

ଉକ୍ତ ବିଧାୟକଙ୍କ କୋଟାରେ ସେ ନାମ ଲେଖାଇଦେବେ ବୋଲି ଅନୁଭବଙ୍କୁ ଆଶ୍ୱାସନା ଦେଇଥିଲା । ଏଥିଲାଗି ୬୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ସୁଜିତ କହିଥିଲା । ଅନୁଭବ ଏଥିରେ ରାଜି ହୋଇଥିଲେ । ସେ ତୁରନ୍ତ ୬୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାପରେ ସୁଜିତ ନାମ ଲେଖା ସଂକ୍ରାନ୍ତୀୟ କିଛି ନକଲି କାଗଜପତ୍ର ପ୍ରସ୍ତୁତ କରି ଅନୁଭବଙ୍କୁ ଦେଇ ଆଉ ଧରାଛୁଆଁ ଦେଇନଥିଲା । କିଛି ଦିନ ପରେ ଅନୁଭବ ଏ ନେଇ ଅଧିକ ଖୋଳତାଡ କରିବାରୁ ସେ ଜଣେ ଠକ ହାବୁଡରେ ପଡିଥିବା ଜାଣିପାରିଥିଲେ । ଅଭିଯୁକ୍ତ ସୁଜିତ ଏଭଳି ନକଲି କାଗଜପତ୍ର ଦେଖାଇ ବହୁ ଛାତ୍ରଙ୍କ ଠାରୁ ଟଙ୍କା ନେଇଥିବା ଅନୁଭବ ଜାଣିପାରିଥିଲେ । ଏହାପରେ ସେ ତୁରନ୍ତ ମର୍କତନଗର ଥାନାରେ ଏତଲା ଦାୟର କଲେ । ପୋଲିସ ଏ ନେଇ କେସ ନଂ ୧୪୩/୨୦, ଆଇପିସିର ଧାରା ୪୧୯, ୪୨୦, ୪୬୭ ଓ ୪୬୮ରେ ଏକ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସୋମବାର ମର୍କତନଗର ପୋଲିସ ଭୁବନେଶ୍ୱରରୁ ଅଭିଯୁକ୍ତ ସୁଜିତ ଓ ନକଲି କାଗଜପତ୍ର ପ୍ରସ୍ତୁତ କରିଥିବା ସହଯୋଗୀ ସନ୍ଦୀପକୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହିତ ଅଭିଯୁକ୍ତଙ୍କ ଠାରୁ ନଗଦ ୬୦ ହଜାର ଟଙ୍କା ଜବତ କରିଛି । ସୋମବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।