ହାଇକୋର୍ଟଙ୍କ ନିର୍ଦ୍ଦେଶ

ନିଜ ସାଥିଙ୍କୁ ଫେରିପାଇବେ ସମଲିଙ୍ଗୀ ସାଥି

କଟକ,(ଏସଏ ନ୍ୟୁଜ):
ହାଇକୋର୍ଟ ନିର୍ଦ୍ଦେଶରେ ଜଣେ ଯୁବତୀ ତାଙ୍କ ସମଲିଙ୍ଗୀ ସାଥୀଙ୍କ ପାଖକୁ ଫେରିବେ । ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ର ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠଙ୍କ ନିର୍ଦ୍ଦେଶାନୁଯାୟୀ ଯୁବତୀଙ୍କୁ ପୋଲିସ ହେପାଜତରେ ଭୁବନେଶ୍ୱରରେ ରହୁଥିବା ତାଙ୍କ ସମଲିଙ୍ଗୀ ସାଥୀଙ୍କ ନିକଟକୁ ଅଣାଯିବ । ତେବେ ଏଥିଲାଗି ହାଇକୋର୍ଟ କେତେକ ସର୍ତ ରଖିଛନ୍ତି । ଏହି ସର୍ତ ଅନୁଯାୟୀ ସମଲିଙ୍ଗି ସାଥୀ ତାଙ୍କୁ କୌଣସି ପ୍ରକାର ନିର୍ଯାତନା ଦେବେନାହିଁ । ଯୁବତୀ ଜଣକ ତାଙ୍କ ପରିବାର ସହ କଥା ହେବାର ସୁଯୋଗ ପାଇବେ । ଏ ନେଇ ତାଙ୍କ ସମଲିଙ୍ଗୀ ସାଥି ଖଣ୍ଡଗିରି ଥାନାରେ ଏକ ଅଣ୍ଡରଟେକିଂ ଦେବେ ।

ସୂଚନାଯୋଗ୍ୟ ଯେ ଯାଜପୁରର ଆବେଦନକାରୀ ଯୁବତୀ ଚିନ୍ମୟୀ ଜେନା ଓରଫ ସୋନୁ କ୍ରିଷ୍ଣା ଜେନାଙ୍କ ପକ୍ଷରୁ ଏ ନେଇ ଏକ ହେବିଅସ କର୍ପସ ମାମଲା ରୁଜୁ ହୋଇଥିଲା । ଚିନ୍ମୟୀଙ୍କ ସହ ପୀଡିତା ଯୁବତୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରହିଛି । କିନ୍ତୁ ଏହି ଯୁବତୀ ସାଥୀଙ୍କୁ ତାଙ୍କ ମା’ ଏବଂ ମାମୁଁ ଜବରଦସ୍ତ ଅଟକ ରଖିଥିବା ଚିନ୍ମୟୀ ଅଭିଯୋଗ କରିଥିଲେ । ତାଙ୍କ ଯୁବତୀ ସାଥୀଙ୍କୁ ଉଦ୍ଧାର କରିବାକୁ ସେ ପୋଲିସର ଦ୍ୱାରସ୍ତ ହୋଇଥିଲେ ବି ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଏଣୁ ସେ ହାଇକୋର୍ଟରେ ନ୍ୟାୟ ଲାଗି ଏକ ମାମଲା ରୁଜୁ କରିଥ୍ଖଲେ । ହାଇକୋର୍ଟ ମାମଲାର ଶୁଣାଣି କରି ଯାଜପୁର ଏସପିଙ୍କୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏସପିଙ୍କ ଜବାବ ପରେ ହାଇକୋର୍ଟ ଉକ୍ତ ଯୁବତୀଙ୍କ ସହ ସିଧାସଳଖ କଥା ହୋଇ ତାଙ୍କ ମତାମତ ଜାଣିବାକୁ ଚାହିଁଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ଯାଜପୁର ଏସପି ଯୁବତୀଙ୍କୁ ହାଜର କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ହାଇକୋର୍ଟର ବିଚାରପତି ଦ୍ୱୟ ପୀଡିତାଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ । ପୀଡିତା ଜଣକ ତାଙ୍କ ସମଲିଙ୍ଗୀ ସାଥୀଙ୍କ ନିକଟରେ ରହିବାକୁ ସ୍ପଷ୍ଟ ମତ ରଖିବା ପରେ ଅଦାଲତ ଉପରୋକ୍ତ ଆଦେଶ ଦେଇଛନ୍ତି । ହାଇକୋର୍ଟ ଦର୍ଶାଇଛନ୍ତି ଯେ ଯୁବତୀ ଦ୍ୱୟ ସାବାଳିକା । ସୁପ୍ରିମକୋର୍ଟଙ୍କ ଆଦେଶାନୁଯାୟୀ ସେମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ନିଷ୍ପତିି ନେବାର କ୍ଷମତା ସେମାନଙ୍କର ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.