ଡିସେମ୍ବର ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର,(ଏସ୍‌ଏନ୍ୟୁଜ): ଆସନ୍ତା ଡିସେମ୍ବର ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଚଳିତ ମାସରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିଲା । ଡିସେମ୍ବର ଦ୍ୱିତୀୟ ସପ୍ତାହରେ କରୋନାର ଦ୍ୱିତୀୟ ଲହର ଆସିବା ନେଇ ଆଶଙ୍କା କରାଯାଇଛି ।ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବଢିଛି । ଏସବୁକୁ ଦେଖି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ଡିସେମ୍ବରରେ କରୋନାର ଦ୍ୱିତୀୟ ଲହର ଆସିବା ଆଶଙ୍କା ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ ସ୍କୁଲ ଖୋଲିବ ନାହିଁ ବୋଲି ଘୋଷଣା କରିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଭାଗ ଚିନ୍ତା କରୁଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାସ । ପୂର୍ବଭଳି ଅନ୍‌ଲାଇନ୍ ପାଠପଢା ଜାରି ରହିବ ଏବଂ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.