ଖୋର୍ଦ୍ଧା,(ଏସ୍ଏନ୍ୟୁଜ):ଖୋର୍ଦ୍ଧା ସହର ନିକଟ ଜମାଦେଈ ଓ ମୁକୁନ୍ଦପ୍ରସାଦ ମୌଜାରେ ଗଢ଼ିଉଠିଥିବା ଶିଳ୍ପାଂଚଳ ଏବେ ଶିଳ୍ପ ସଂଖ୍ୟା କମ୍ ଆବର୍ଜନା କୁଢ଼ ସଂଖ୍ୟା ଅଧିକ ହେବାରେ ଲାଗିଛି । ଅନେକ ସେଡ୍ ଅବ୍ୟବହୃତ ହୋଇ ପଡ଼ିରହିଥିବା ବେଳେ ସେହି ସମସ୍ତ ଏବେ ଅସାମାଜିକଙ୍କ ମଦ, ଡ୍ରଗ୍ସ ବାର୍, ରଙ୍ଗାଳୟରେ ପରିଣତ ହୋଇଛି । ପାଣି ପାଇପ୍ ଠାରୁ ଆରମ୍ଭ କରି ରାସ୍ତାଘାଟର ଅସ୍ତିତ୍ୱ ନଥିବା ବେଳେ ସେଠାରେ ଥିବା ଇଡ୍କୋର ଆଇଆଇଡିରେ ତାଲାଝୁଲୁଛି ।

ବାହାର ରାଜ୍ୟରେ କାମ କରୁଥିବା ଏବଂ କରୋନା ମହାମାରୀ ଯୋଗୁଁ ନିଜ ଅଂଚଳକୁ ଫେରିଆସିଥିବା ଓଡ଼ିଆ ଶ୍ରମିକଙ୍କୁ ସ୍କିଲ୍ ମ୍ୟାପିଂ କରାଯାଇ କାମ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । କରୋନା ମହାମାରୀର ୬ ମାସ ମଧ୍ୟରେ କଟକଣା କୋହଳ ହୋଇଛି । କେତେକ ଶ୍ରମିକ ପୁଣି ଅନ୍ୟରାଜ୍ୟକୁ ଫେରିଯିବାକୁ ବସିଥିବା ବେଳେ ଅନେକ କାମଧନ୍ଦା ନପାଇ ବସିରହିଛନ୍ତି । ଏପରିସ୍ଥଳେ ନିଯୁକ୍ତି ଯୋଗାଇଦେବାର ପ୍ରମୁଖ ସ୍ଥଳ ଖୋର୍ଦ୍ଧା ଶିଳ୍ପାଂଚଳ ଅକାମୀ ହୋଇପଡ଼ିଛି । ଖୋର୍ଦ୍ଧା ଶିଳ୍ପାଂଚଳରେ ୧୩୯.୬୧୦ ଏକର, ଜମାଦେଈରେ ୪୩.୯୪୦ ଏକର ଅଂଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ପ୍ରଦାନ କରାଯାଇଛି । ଜମାଦେଈରେ ୯ଟି ଶିଳ୍ପାଂଚଳକୁ ଜମି ଦିଆଯାଇଥିବା ବେଳେ ଗୋଟିଏ ମଧ୍ୟ ଶିଳ୍ପ ଚାଲୁନଥିବା ବେଳେ ମୁକୁନ୍ଦପ୍ରସାଦ ମୌଜାରେ ଥିବା ଖୋର୍ଦ୍ଧା ଶିଳ୍ପାଂଚଳରେ ଦିଆଯାଇଥିବା ୯୦ଟି ଶିଳ୍ପ ମଧ୍ୟରୁ କେବଳ ୩୨ଟି ଶିଳ୍ପ ସଚଳ ରହିଛି ।
ଗୋଟିଏ ପଟେ ଶିଳ୍ପାଂଚଳରେ କାଁଭାଁ ଶିଳ୍ପ ଚାଲୁଥିବା ବେଳେ ଆରପଟେ ସମଗ୍ର ଶିଳ୍ପାଂଚଳରେ ନିର୍ମାଣ କରାଯାଇଥିବା ଆନୁସଙ୍ଗିକ ଭିତ୍ତିଭୂମି ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ୍ ସବୁ ଅକାମୀ ହୋଇପଡ଼ିଛି । କେବଳ ବରୁଣେଇ ରାସ୍ତା ଓ ଆଉ ଦୁଇଟି ପ୍ରବେଶ ରାସ୍ତାକୁ ଛାଡ଼ି ଶିଳ୍ପାଂଚଳର ସମସ୍ତ ରାସ୍ତାରେ ୨-୩ଫୁଟର ଖାଲ ସୃଷ୍ଟି ହୋଇଛି । ସ୍ଥାନୀୟ କେତେକ ଶିଳ୍ପାନୁଷ୍ଠାନର କର୍ମକର୍ତାଙ୍କ ସହ ଯୋଗାଯୋଗ କରିବାରେ ସେମାନେ କହିଛନ୍ତି ଯେ ୩ ବର୍ଷ ପୂର୍ବେ ଶିଳ୍ପାଂଚଳର କିଛି ରାସ୍ତା ମରାମତି ହୋଇଥିଲା । କେବଳ ଶିଳ୍ପକୁ ସଂଯୋଗ ବିଦ୍ୟୁତ୍ରେ ସମସ୍ୟା ହେଲେ ମରାମତି କରାଯାଉଛି, କିନ୍ତୁ ରାସ୍ତା କଡ଼ ବିଦ୍ୟୁତ୍ ବ୍ୟବସ୍ଥାର ମରାମତି କଦାପି ହେଉନାହିଁ । ସେହିଭଳି, ଶିଳ୍ପାଂଚଳକୁ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ୨ ଦଶନ୍ଧୀ ପୂର୍ବେ ଦୟାନଦୀରୁ ପାଇପ୍ ବିଛାଯାଇଥିଲା । ବର୍ତମାନ ସମସ୍ତ ପ୍ରମୁଖ ପାଇପ୍ କଳିଙ୍କି ଲାଗି ଫାଟିଯାଇଛି । ଶିଳ୍ପାଂଚଳର ୭ଟି ସ୍ଥାନରେ ପାଣିଫାଟି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଛି । ଫଳରେ ଶିଳ୍ପାଂଚଳରେ ମେସ୍ କରି ରହୁଥିବା ଶ୍ରମିକ ପାଣିନପାଇ ବାହାର ନଳକୂପ ଉପରେ ନିର୍ଭର କରୁଛନ୍ତି । ଏପରିକି ଶିଳ୍ପାଂଚଳ ମଧ୍ୟରେ ଥିବା ଏକମାତ୍ର କର୍ମଚାରୀ ବୀମା ଡିସ୍ପେନ୍ସରି ଟି ବନ୍ଦ ହୋଇପଡ଼ିଛି ।