ବୀମା ଅର୍ଥ ମଜୁରୀ ପାଇଁ ଚାଷୀଙ୍କ ଜମାଖାତା ବନ୍ଧା ପଡ଼ିଛି

ପ୍ରଶାସନ ସହିତ କୃଷକ ନେତାଙ୍କ ଆଲୋଚନା

ଯାଜପୁର, (ଏସଏ ନ୍ୟୁଜ): ଅସାଧୁ କୃଷି ଅଧିକାରୀ, ଦୁର୍ନୀତିଗ୍ରସ୍ତ ସମବାୟ ବିଭାଗର କର୍ମଚାରୀ, ମିଲର, ଯୋଗାଣ ବିଭାଗ ଅଧିକାରୀ ଓ ଦଲାଲ ମାନଙ୍କ ଦ୍ୱାରା ନିୟମିତ ଭାବେ ଚାଷୀମାନେ ଶୋଷିତ ହୋଇ ଚାଲିଛନ୍ତି । କୃଷକଟି ଖରା, ବର୍ଷା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନାକରି ଯେତିକି ଯନ୍ତ୍ରଣା ନ ପାଉଛି, ଅଧିକ ନିର୍ଯ୍ୟାତିତ ହେଉଛି ଉପରୋକ୍ତ ଶୋଷକ ମାନଙ୍କ ଦ୍ୱାରା । ବିଶେଷକରି ଏବେ କରୋନା ମହାମାରୀ ଚାଲିଥିବା ସମୟରେ ମଧ୍ୟ ଚାଷୀଙ୍କ ବୀମା ଅର୍ଥକୁ ସରକାରୀ ନିର୍ଦ୍ଦେଶ ମୁତାବକ ସେମାନଙ୍କ ଜମାଖାତାକୁ ପଠାଇବା ପରିବର୍ତେ ପାସ୍‌ବହି ଓ ଚେକ୍‌ ବହିକୁ କିଛି ସମବାୟ ସମିତିର ନେତା ତଥା କର୍ମଚାରୀମାନେ ବନ୍ଧକ ରଖିଥିବା ଭଳି ଅଭିଯୋଗ ମିଳିଛି । ବିଂଝାରପୁର ବ୍ଲକ ଅଂଚଳରେ ଏହି ସମସ୍ୟା ଦେଖାଦେଇଥିବା ବେଳେ ଜିଲ୍ଲାର ଅନ୍ୟ ଅଂଚଳରେ ଅନୁରୂପ ଭାବେ ଏହିପରି ଚାଷୀମାନଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଉପରୋକ୍ତ ଅଭିଯୋଗ ଓ ଅନ୍ୟାନ୍ୟ ସମସ୍ୟା ନେଇ ଚାଷୀନେତା ତଥା ନବ ନିର୍ମାଣ କୃଷକ ସଂଗଠନର ବିଂଝାରପୁର ବ୍ଲକ ସଂଯୋଜକ ସନାତନ ସାହୁଙ୍କ ନେତୃତ୍ୱରେ ସଂପୃକ୍ତ ଅଂଚଳର ଚାଷୀନେତା ମାନେ ଯାଜପୁର ଜିଲ୍ଲା ପ୍ରଶାସନକୁ ଏ ନେଇ ଅବଗତ କରିଛନ୍ତି । ପ୍ରତିନିଧିମାନେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରି ସମସ୍ୟାର ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷକରି ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ସିଧାସଳଖ ଭାବେ ଚାଷୀଙ୍କ ଜମାଖାତାରେ ଡିପୋଜିଟ୍‌ କରିବା, ଶସ୍ୟବୀମା ରାଶି ଆସିଥିବା ଚାଷୀଙ୍କ ତାଲିକାକୁ ଅବିଳମ୍ବେ ସମସ୍ତ ସମବାୟ ସମିତି ଅଫିସ୍‌ରେ ସର୍ବସାଧାରଣଙ୍କ ଅବଗତି ପାଇଁ ଲଟକେଇବା, ରବିଋତୁରେ ଅଣଚାଷୀମାନେ ଚଂଚକତା କରି ସମବାୟ ସମିତିରେ ବେଆଇନ ଭାବେ ବିକ୍ରୀ କରୁଥିବା ଧାନ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବଂଚିତ ଯୋଗ୍ୟ ଚାଷୀଙ୍କୁ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା, ଚାଷୀଙ୍କୁ ଓ ଭାଗଚାଷୀଙ୍କୁ ବ୍ୟାଙ୍କ ଏବଂ ସମବାୟ ସମିତି ଦ୍ୱାରା ଆବଶ୍ୟକ ଋଣ ମଂଜୁର ରିହାତି ମୂଲ୍ୟରେ ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ଯୋଗାଇଦେବା ଗତ ଅମ୍ଫାନ ବାତ୍ୟା କ୍ଷତିଗ୍ରସ୍ତ ପରିବା ଓ ମୁଗଚାଷୀଙ୍କୁ ଅବିଳମ୍ବେ ସହାୟତା ରାଶି ପ୍ରଦାନ ଓ ସର୍ବୋପରି ପ୍ରବାସୀ ଶ୍ରମିକମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରଦାନ କରାଯାଇ ବେକାରୀ ଦୂରୀକରଣ ଇତ୍ୟାଦି ଦାବିନେଇ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ଏଆରସିଏସର ଅଧିକାରୀ ଉପସ୍ଥିତ ଥିବାବେଳେ ତୁରନ୍ତ ପ୍ରମୁଖ ସମସ୍ୟା ବିଶେଷକରି ବୀମା ଅର୍ଥକୁ ଋଣରେ ମଜୁରା କରିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଏହିକିଯେ ବୀମା ଅର୍ଥକୁ ଭରଣା କରିବା ଲକ୍ଷ୍ୟରେ ମାତ୍ର ମାସେ ତଳେ ଯେଉଁ ଚାଷୀ ଖରିଫ ଋଣ ନେଇଥିଲେ ସେମାନଙ୍କ ଋଣକୁ ବି ସମବାୟ ବିଭାଗ କିଭଳି ମଜୁରା କରିବାକୁ ଆଗେଇ ଆସିଛି ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଅଶୋକ ଶାନ୍ତି, ଭୁବନାନନ୍ଦ ସାମଲ, ସୁବାସ ଖଣ୍ଡେଇ, ବଳରାମ ବଳ, ଜ୍ଞାନେନ୍ଦ୍ର ବେହୁରିଆ, ରବିନ୍ଦ୍ର ଧଳ, ଧନେଶ୍ୱର ସାମଲ, ଅମରେନ୍ଦ୍ର ସାମଲ, ପ୍ରତାପ ନାୟକ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.