ଅନଲାଇନ୍‌ରେ ଖାଦ୍ୟ ପାର୍ସଲ୍‌ ଯୋଗାଇବା ନାଁରେ ଠକେଇ

୧ପ୍ଲେଟ୍ କିଣିଲେ ୨ ପ୍ଲେଟ୍ ମାଗଣା ଅଫର୍‌
ଫେସ୍‌ବୁକରେ ପ୍ରତିଷ୍ଠିତ ରେସ୍ତୋରାଁରେ ନାଁରେ ଜାଲ୍ ବିଜ୍ଞାପନ
୧୫ ଦିନରେ ୫୦ରୁ ଅଧିକ ଠକାମିର ଶିକାର

ଭୁବନେଶ୍ୱର ,(ଏସ୍‌ଏନ୍ୟୁଜ):ଲକ୍‌ଡାଉନ ଆରମ୍ଭରୁ ରାଜ୍ୟରେ ସକ୍ରିୟ ହୋଇପଡ଼ିଛନ୍ତି ସାଇବର ଠକ। ଅନଲାଇନ୍‌ରେ ମଦ, ସାନିଟାଇଜର୍, ଥର୍ମାଲ ସ୍କ୍ରିନିଂ ଭଳି କୋଭିଡ୍ ପରୀକ୍ଷା ଉପକରଣ, କୋରିଅର୍ ପାର୍ସଲ, ଘରେ ବସି ରୋଜଗାର, ଟାଓ୍ୱାର ବସାଇବା ନାଁରେ କୋଟି କୋଟି ଟଙ୍କା ଲୁଟି ଚାଲିଛନ୍ତି। ଏବେ ଅନଲାଇନ୍‌ରେ ଖାଦ୍ୟ ପାର୍ସଲ୍‌ ଯୋଗାଇବା ନାଁରେ ଠକେଇ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ରାଜଧାନୀ ୟୁନିଟ୍-୩ ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ରେସ୍ତୋରାଁ ନାଁରେ ଜାଲ୍ ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ୧୫ ଦିନରେ ୫୦ରୁ ଅଧିକ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ଆସିଛି। ଗୋଟିଏ ପ୍ଲେଟ୍‌ କିଣିଲେ, ଦୁଇ ପ୍ଲେଟ୍ ମାଗଣାରେ ମିଳିବ ବୋଲି ଲୋଭନୀୟ ଅଫର୍‌ ଦେଇ ଠକ ଠକି ଚାଲିଛି। ରେସ୍ତୋରାଁ ମାଲିକ ସତୀଶ ରାଘବନ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଠକକୁ ଠାବ କରିବା ସମ୍ଭବ ହୋଇନାହିଁ।

ଅଭିଯୋଗ ଅନୁସାରେ ଠକ ଜଣକ ଗତ ୧୨ ତାରିଖରୁ ଉକ୍ତ ରେସ୍ତୋରାଁ ନାଁରେ ଫେସ୍‌ବୁକ୍‌ରେ ଏକ ଜାଲ୍‌ ଆଇଡି ଖୋଲିଛି। ଗୋଟିଏ ପ୍ଲେଟ୍‌ କିଣିଲେ ଦୁଇ ପ୍ଲେଟ୍‌ ମାଗଣା ଖାଦ୍ୟ ମିଳିବ ବୋଲି ବିଜ୍ଞାପନରେ ଅଫର୍ ଦିଆଯାଇଛି। ତ୍ରିନାଥ ମହାରଣା ନାମକ ଜଣେ ଯୁବକ ଏହି ଲୋଭନୀୟ ଅଫର୍ ବିଷୟରେ ଜାଣିବା ପରେ ଫେସ୍‌ବୁକ୍‌ର ସେହି ଲିଙ୍କ୍‌ ଖୋଲି ଖାଦ୍ୟ ବୁକ୍ କରିଥିଲେ। ପରେ ପରେ ତାଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ଠକ ଜଣକ ତ୍ରିନାଥଙ୍କଠାରୁ ପାର୍ସଲ ସମ୍ବନ୍ଧୀୟ ବିବରଣୀ ନେବା ପରେ ତାଙ୍କ ଫୋନ୍‌କୁ ଏକ ଓଟିପି ନମ୍ବର ଆସିଥିଲା। ଠକ ତାଙ୍କୁ ଓଟିପି ନମ୍ବର ମାଗିବାରୁ ସେ ସନ୍ଦେହ କରିଥିଲେ ଓ ତୁରନ୍ତ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କରି ତାଙ୍କ କ୍ରେଡିଟ୍ କାର୍ଡକୁ ବ୍ଲକ୍ କରି ଦେଇଥିଲେ। କ୍ରେଡିଟ୍‌ କାର୍ଡ ବ୍ଲକ ହେବା ପରେ ଠକ ପୁଣି ତ୍ରିନାଥଙ୍କୁ ଫୋନ୍‌ କରି ଧମକ ଦେଇଥିଲା। ଏ ନେଇ ତ୍ରିନାଥ ତୁରନ୍ତ ଖାରବେଳନଗରସ୍ଥିତ ଉକ୍ତ ରେସ୍ତୋ‌ରାଁକୁ ଯାଇ ଘଟଣା ବାବଦରେ ଜଣାଇଥିଲେ ଓ ତାଙ୍କ ଭଳି ପ୍ରାୟ ୫୦ ଜଣଙ୍କୁ ଉକ୍ତ ସାଇବର ଠକ ଠକିଛି ବୋଲି ଜାଣିବାକୁ ପାଇଥିଲେ। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ ଠକ ଯେଉଁ ଲିଙ୍କ୍ ଦେଇଛି ତାହାକୁ ଗୁଗୁଲ୍ ସିଟ୍ କୁହାଯାଏ। ଏହି ସିଟ୍ ଜରିଆରେ ଠକ ପାର୍ସଲ ମଗାଉଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ହାସଲ କରି ଆକାଉଣ୍ଟକୁ ଖାଲି କରି ଦେଇପାରିବ। ତେଣୁ ପାର୍ସଲ ମଗାଇବା ପୂର୍ବରୁ ଉକ୍ତ ସଂସ୍ଥା ବାବଦରେ ପୂରା ତଥ୍ୟ ଜାଣିବା ଦରକାର।

Leave A Reply

Your email address will not be published.