ଅନଲକ୍ ୬: ନଭେମ୍ବର ୧୫ ଯାଏଁ ରାଜ୍ୟର ସବୁ ସିନେମା ହଲ୍ ବନ୍ଦ ରହିବ

ଭୁବନେଶ୍ବର ,(ଏସ୍‌ଏନ୍ୟୁଜ): ଆଜି ରାଜ୍ୟ ସରକାର ନଭେମ୍ବର ମାସ ଲାଗି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ୍ ୬ର ଗାଇଡଲାଇନ୍ ଅନୁଯାୟୀ ଆଗାମୀ ନଭେମ୍ବର ୧୫ ଯାଏଁ ରାଜ୍ୟର ସବୁ ସିନେମା ହଲ୍ ବନ୍ଦ ରହିବ। ଦେଶର ଅନ୍ୟ କେତେକ ରାଜ୍ୟରେ ସିନେମା ହଲ୍ ଖୋଲିସାରିଥିବାରୁ ଓଡ଼ିଶାରେ ବି ଖୋଲିବା ନେଇ ସିନେପ୍ରେମୀମାନେ ଆଶା ବାନ୍ଧି ବସିଥିଲେ। ସିନେପ୍ରେମୀମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ନିରାଶ ହୋଇଛନ୍ତି। ଖାଲି ସିନେପ୍ରେମୀ ନୁହନ୍ତି, ବରଂ କଳାକାର, ପ୍ରଯୋଜକ, ବିତରକ ଏବଂ ସିନେମା ହଲ୍ ମାଲିକ, କର୍ମଚାରୀମାନେ ଅଧିକ ମାତ୍ରାରେ ଚିନ୍ତିତ ଅଛନ୍ତି। ପୁଣି ନଭେମ୍ବର ୧୬ ତାରିଖକୁ ସେମାନେ ଅପେକ୍ଷା କରିଛନ୍ତି। ତେବେ ସରକାର ପରବର୍ତ୍ତୀ ସମୟରେ ଏନେଇ ଭଲ ନିଷ୍ପତ୍ତି ନେବେ ବୋଲି ଆଶ ହରାଇନାହାନ୍ତି ସେମାନେ। କାଳେ ରାଜ୍ୟ ସରକାର ସିନେମା ହଲ୍ ଖୋଲିବାକୁ ନେଇ ନିଷ୍ପତ୍ତି ନେବେ। ଏହାଛଡ଼ା ଏଣ୍ଟରଟେନମେଣ୍ଟ କଂପ୍ଲେକ୍ସ, ଥିଏଟର୍, ଅଡିଟୋରିଅମ୍ ଆଦିକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୁକ୍ତ ରଙ୍ଗମଞ୍ଚକୁ କୋଭିଡ୍ କଟକଣା ଭିତରେ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିରେ ମାସ୍କ, ସାମାଜିକ ଦୂରତା ଭଳି ନିୟମ ମାନିବାକୁ କୁହାଯାଇଛି। ଖାଲି ସେତିକି ନୁହେଁ, ନଭେମ୍ବର ୧୫ ଯାଏଁ ସବୁ ସୁଇମିଂପୁଲ୍ ବନ୍ଦ ରହିବ ବୋଲି ଅନଲକ୍ ୬ର ଗାଇଡଲାଇନରେ କୁହାଯାଇଛି। ଗାଇଡ୍‌ଲାଇନ୍‌ ଅନୁସାରେ ସରକାର ପୂର୍ବବତ୍‌ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି । କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.