ଭୁବନେଶ୍ୱରରୁ ଚୋରି ବସକୁ ଧରିଲା କଟକ ପୋଲିସ

ଭୁବନେଶ୍ୱର(ଏସ୍‌ଏନ୍ୟୁଜ):
ଭୁବନେଶ୍ୱରରୁ ଏକ ବସ ଚୋରି କରି ରାଜ୍ୟ ବାହାରକୁ ଖସି ପଳାଇବାର ଉଦ୍ୟମ କରିବା ବେଳେ ନାଟକୀୟ ଢଙ୍ଗରେ ପୋଲିସ ବସକୁ ଅଟକାଇବାରେ ସଫଳ ହୋଇଛି ।ଏଭଳି ଏକ ଘଟଣା ଶୁକ୍ରବାର ରାତି ପ୍ରାୟ ସାଢେ୯ଟା ସମୟରେ ଦେଖିବାକୁ ମିଳିଥିଲା ଚାଉଳିଆଗଞ୍ଜ ଥାନା ନିକଟରେ । ତେବେ ବସଟି ଅଟକାଇବା ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ତଥା ଚୋର ଆହତ ହୋଇଛି । ତାକୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତି କରାଯାଇଛି ।

ଶୁକ୍ରବାର ସନ୍ଧ୍ୟାରେ ବରମୁଣ୍ଡା ବସଷ୍ଟାଣ୍ଡରେ ଜଣେ ଡ୍ରାଇଭର ଏକ ଏସି ସ୍ଲିପର ବସକୁ ରଖି କିଛି ଦୂରରେ ଛିଡା ହୋଇଥିଲେ । ଏହି ସମୟରେ ହଠାତ ବସଟି ଷ୍ଟାର୍ଟ ହେବା ସହିତ ଗଡିବାକୁ ଲାଗିଲା । ଏହି ବସକୁ କେହି ଚୋରି କରିନେଉଥିବା ଜାଣିବା ପରେ କର୍ମଚାରୀମାନେ ସଙ୍ଗେ ସଙ୍ଗେ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ମଧ୍ୟ ଏ ନେଇ ପୋଲିସକୁ ଜଣାଇବା ପରେ ବସକୁ ଧରିବା ଲାଗି ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଚୋରି ବସଟି କଟକ ଆଡକୁ ଯାଉଥିବା ସୂଚନା ମିଳିବା ପରେ ଏନେଇ ଟ୍ରାଫିକ ଥାନା ଠାରୁ ଆରମ୍ଭ କରି ସଦର ଥାନା, ମଧୁପାଟଣା ଓ ଚାଉଳିଆଗଞ୍ଜ ଥାନାକୁ ଅବଗତ କରାଯାଇଥିଲା? ଏହାକୁ ଏକ ବଡ ଚାଲେଞ୍ଜ ଭାବେ କଟକ ପୋଲିସ ଗ୍ରହଣ କରିଥିଲା ।

ଅନ୍ୟପଟେ ରାଜପଥ ଓ ମଧୁପାଟଣା ଛକରେ ଗାଡିକୁ ଅଟକାଇବାରେ ବିପଦ ରହିଥିବାରୁ ନୂଆ ଉପାୟ ଅବଲମ୍ବନ ଗ୍ରହଣ କରାଯାଇଥିଲା । ଯୋଜନା ଅନୁଯାୟୀ ଚାଉଳିଆଗଞ୍ଜ ଥାନା ସମ୍ମୁଖ ବ୍ରିଜ ଗଡାରେ ଏକ ଟ୍ରକ ରଖାଯାଇ ରାସ୍ତାକୁ ଅବରୋଧ କରାଯାଇଥିଲା । ଏହା ଚାରିପାଖରେ ପୋଲିସ ଟିମ ଜଗି ରହିଥିଲା । ତେବେ ହଠାତ ପୋଲିସକୁ ଦେଖି ଚୋର ହଡବଡାଇ ଯାଇ ମଝିରେ ଥୁଆ ହୋଇଥିବା ଟ୍ରକକୁ ଜୋରରେ ପିଟି ଦେଇଥିଲା । ବସ ଅଟକିବା ପରେ କୌଣସି ପ୍ରକାର ଚୋର ଯେପରି ଖସି ନପଳାଇବ ତାହାକୁ ନଜରରେ ରଖି ପୋଲିସ ଗାଡିକୁ ପ୍ରଥମେ ଘେରି ଯାଇଥିଲା । ପରେ ବସର ପଛ ସିଟରୁ କ୍ଷତାକ୍ତ ଅବସ୍ଥାରେ ଅଭିଯୁକ୍ତକୁ କାବୁ କରାଯାଇଥିଲା । ସେଠାରୁ ତାକୁ ତୁରନ୍ତ ଚିକିତ୍ସା ଲାଗି ଏସସିବି ମେଡିକାଲରେ ଭର୍ତି କରାଯାଇଛି । ଏହି ଘଟଣା ଲାଗି ରାଜପଥର ଗୋଟିଏ ପଟ ରାସ୍ତାରେ ଏକଘଂଟା ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା ।

Leave A Reply

Your email address will not be published.