ଭୁବନେଶ୍ୱର : ପ୍ରଫେସରଙ୍କ ଘରୁ ୭ ଲକ୍ଷ ଟଙ୍କାର ସୁନାଗହଣା, ଦାମୀ ମୋବାଇଲ ଚୋରି

ଭୁବନେଶ୍ୱର ,(ଏସ୍‌ଏନ୍ୟୁଜ): ଲକ୍‌ଡାଉନ୍‌ ପରେ ପରେ ରାଜଧାନୀରେ ଚୋର ଓ ଲୁଟେରା ଉତ୍ପାତ କରୁଛନ୍ତି। କମିସନରେଟ୍‌ ପୁଲିସର କଡ଼ା ପହରାକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଗତ ରବିବାର ସନ୍ଧ୍ୟାରେ ୟୁନିଟ୍-୮ ଅଞ୍ଚଳରେ ଥିବା ଜଣେ ଓୟୁଏଟିର ପ୍ରଫେସର ନିରଞ୍ଜନ ବାରିକଙ୍କ ସରକାରୀ କ୍ବାର୍ଟର୍ସରୁ ଚୋର କଳାକନା ବୁଲାଇଛନ୍ତି। ନଗଦ ଟଙ୍କା ସହ ୭ ଲକ୍ଷର ସୁନା ଗହଣା ଓ ଦାମୀ ଟ୍ୟାବ୍‌ ସହ ମୋବାଇଲ ଫୋନ୍‌ ଚୋରି କରି ନେଇଛନ୍ତି। ୮ ମୋବାଇଲ ଫୋନ୍‌ର ମୂଲ୍ୟ ୨ ଲକ୍ଷରୁ ବେଶି ହେବ। ଘ‌େର ତାଲା ପକାଇ ପରିବାର ସଦସ୍ୟ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେ‌ଳେ ଚୋର ଏହି କାଣ୍ଡ ଘଟାଇଛି। ଘରର ତାଲା ଭାଙ୍ଗି ଚୋରି କରିଛି। ଘରକୁ ଫେରିବା ପରେ ପ୍ରଫେସରଙ୍କ ପୁଅ ଖଣ୍ଡଗିରି ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା କରିଛି। ହେଲେ ଚୋରର ଟେର ପାଇନାହିଁ। ଓୟୁଏଟି ‌ପ୍ରାଣୀଧନ ବିଭାଗ ପ୍ରଫେସର ନିରଞ୍ଜନ ବାରିକ ସିବିଆଇ ରେସିଡେନ୍‌ସିଆଲ ଅଫିସ ସାମ୍ନାରେ କ୍ବାର୍ଟର ନମ୍ବର ୩ଆରଏଫ୍‌ ୬୨ରେ ସପରିବାର ରୁହନ୍ତି। ୨୫ ତାରିଖ ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟମାନେ ବାହାରକୁ ଯାଇଥିଲେ। ସନ୍ଧ୍ୟା ସାଢ଼େ ୬ଟା ବେଳେ ପୁଅ ଅନିମେଶ ଅବିନାଶ ତାଲା ପକାଇ ସ୍ଥାନୀୟ ମନ୍ଦିରକୁ ଆସିଥିଲେ। ସାଢ଼େ ୮ଟା ବେଳେ ସେ ଖାଇବା ନେଇଘରେ ପହଞ୍ଚିବା ବେଳକୁ ଘରର ତାଲା ଭଙ୍ଗାଥିବା ଦେଖିଥିଲେ। ଆଲମାରିରୁ ୧୦ଟି ମୁଦି, ୪ ଚୁଡ଼ି, ୨ଟି କଙ୍ଗଣ, ୪ଟି କାନଫୁଲ ଓ ଗୋଟିଏ ମଙ୍ଗଳସୂତ୍ର ଏଭଳି ସୁନାଗହଣା ଚୋରି ହୋଇଥିଲା। ସେହିଭଳି ଦିଲ୍ଲୀର ଶୁଭ୍ରରଞ୍ଜନ ଆଇଏଏସ୍‌ କୋଚିଂ ସେଣ୍ଟରରୁ ଅନିମେଶଙ୍କୁ ମିଳିଥିବା ଟ୍ୟାବ୍‌ ସହ ଦୁଇଟି ଆପଲ ଆଇ ଫୋନ୍‌ ଓ ୫ଟି ଅନ୍ୟ ମୋବାଇଲ ଫୋନ୍‌ ଚୋରି ହୋଇଛି। ଏକ ଲ୍ୟାପ୍‌ଟପ୍‌ ସହ ୫ ହଜାର ନଗଦ ଟଙ୍କା ମଧ୍ୟ ଚୋରି ହୋଇଛି। ସମସ୍ତ ଚୋରି ସାମଗ୍ରୀର ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.