୨୭ ଯାଏଁ ପ୍ରବଳ ବର୍ଷିବ, ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଯାଇଛି । ରବିବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ଆହୁରି ୩ଦିନ ଯାଏ ବର୍ଷିବ । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି । ବର୍ଷାକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲାକୁ ଅରେଞ୍ଜ ଓ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସମ୍ଭାବ୍ୟ ବର୍ଷାକୁ ନେଇ ଉତ୍ତର ଓଡ଼ିଶାରେ ବନ୍ୟା ଆସିବାର ଆଶଙ୍କା ରହିଛି। ବିଶେଷ କରି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ନଦୀରେ ବଢି ଆସିପାରେ । ଲଗାଣ ବର୍ଷାରେ ତଳି ଅଞ୍ଚଳ ଜଳମଗ୍ନ ହୋଇପାରେ। ଏହାକୁ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ସୋମବାର ଉତ୍ତର ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୬ ତାରିଖ ପର‌୍ୟ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ତା’ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ ।
ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏହି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ପୁରୀ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ପୁରୀ, ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି, କନ୍ଧାମଳ, ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇପାରେ ।
ବୁଧବାର ଉପକୂଳ ଓଡ଼ିଶାରେ ବର୍ଷା କମିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଅଧିକ ହେବ । ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିରରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଯାଜପୁର, ଭଦ୍ରକ, ଢେଙ୍କାନାଳ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ ।
ତେବେ ଲଗାଣ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତହସିଲଦାର, ବିଡିଓଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି । ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ଗମନାଗମନ ବିଚ୍ଛିନ୍ନ ରହିବାର ସମ୍ଭାବନା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଓଡ଼୍ରାଫ୍ ଓ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଲଘୁଚାପ ଯୋଗୁ ଆସନ୍ତା ୨୫ରୁ ୨୭ ତାରିଖ ପର‌୍ୟ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.